Unknown

 

 

 

 

 

 

 

 

 

ରାଜସୂୟ ଯଜ୍ଞ

କବିମଞ୍ଜୁଳ କୃଷ୍ଣପ୍ରସାଦ ବସୁ

 

(ଛନ୍ଦକାବ୍ୟ)

(ଜରାସନ୍ଧ ଓ ଶିଶୁପାଳ ବଧ)

(୨୧ -୧୦ -୧୮୯୪ – ୧୮ - ୮ - ୧୯୬୮)

 

ବାଗ୍‌ଦେବୀଙ୍କ ବରପୁତ୍ର କବିମଞ୍ଜୁଳ ଇହଲୋକରୁ ଚୀର ବିଦାୟ ନେଇଛନ୍ତି । ଓଡ଼ିଆ ସାହିତ୍ୟ ଓ ସଂଗୀତ ଜଗତର ଗୋଟିଏ ଯୁଗର ଅବସାନ ହୋଇଛି । ଜୀବନ ସେତ ଚଳନ୍ତି ଛାୟା ମାତ୍ର । ସମୟର ଲେଖାରେ ତାର ଆଗମନ ଓ ଅନ୍ତର୍ଦ୍ଧାନ ଛାୟା ଲୀନ ହୋଇଯାଏ… ସେହି ଛାୟାକୁ ମହାନ କରେ କୀର୍ତ୍ତି । ଓଡ଼ିଆ ସାହିତ୍ୟ ଓ ସଙ୍ଗୀତ ସଂସ୍କୃତି କ୍ଷେତ୍ରର ଉଜ୍ଜ୍ୱଳ ଜ୍ୟୋତିଷ୍କ, ଅବିସ୍ମରଣୀୟ ରସମୟ ପୁରୁଷ ‘କୃଷ୍ଣବାବୁ’ଙ୍କୁ କେହି କି ଭୁଲିପାରେ ? ଜଗନ୍ନାତା କାଳୀକାଙ୍କ କୃପାଧନ୍ୟ, ମନୀଷୀ ଓ ସାଧକ କବିମଞ୍ଜୁଳ କୃଷ୍ଣପ୍ରସାଦଙ୍କ ସ୍ମୃତି ଜନମାନସରେ ଚୀର ଅମ୍ଳାନ ରହିଛି । କବି କଣ୍ଠ ସ୍ତବ୍‌ଧ ହୋଇଛି ସତ… ଅଚଳ ରହିଛି ଅମୃତ ନିସୃତ ଲେଖନୀ, କିନ୍ତୁ ସଙ୍ଗୀତ ଶିଳ୍ପ ଓ ଗାୟକଙ୍କ କଣ୍ଠେ କଣ୍ଠେ ଝଙ୍କୃତ ହେଉଛି ତାହାଙ୍କ ରଚିତ ଗୀତ, ଛନ୍ଦକାବ୍ୟ ଶୁଣି ମୁଗ୍‌ଧ ହେଉଛନ୍ତି ପୁରପଲ୍ଲୀର ଆବାଳ ବୃଦ୍ଧବନିତା । ତାହାଙ୍କର ନାଟକ ଅଭିନୟ କରି ଯାତ୍ରାଭିନେତାମାନେ ଜନରଞ୍ଜନ କରୁଛନ୍ତି ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ । ତାହାଙ୍କର ଅମର ଆତ୍ମା ଉଦ୍ଦେଶ୍ୟରେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରୁଛନ୍ତି ଓଡ଼ିଶାର ସୁଧୀବୃନ୍ଦ, ସାହିତ୍ୟ ଓ ସଙ୍ଗୀତପ୍ରେମୀ ଜନସାଧାରଣ । କବିମଞ୍ଜୁଳଙ୍କ ମୃତ୍ୟୁ ହୋଇନାହିଁ । ଅକ୍ଷୟ ସାହିତ୍ୟ କୀର୍ତ୍ତି ଯୋଗୁଁ ସେ ଚୀର ଭାସ୍ୱର…ଚୀର ସମୁଜ୍ଜ୍ୱଳ ।

 

କବିମଞ୍ଜୁଳ ଥିଲେ ଅନନ୍ୟ ପ୍ରତିଭା ସମ୍ପନ୍ନ କବି, ସଙ୍ଗୀତଜ୍ଞ, ନଟ, ନାଟ୍ୟକାର, ଗୀତିକାର, ସୁରକାର ଓ ଦେଶ ସେବକ । ସେ ଥିଲା ଯାତ୍ରା ଓ ପାଲା ଜଗତର ନବଯୁଗର ଭଗୀରଥ । ସେ ଇଂରାଜୀ, ସଂସ୍କୃତ; ଓଡ଼ିଆ, ବଙ୍ଗଳା, ହିନ୍ଦୀ ଭାଷାରେ ସୁପଣ୍ଡିତ ଥିଲେ । ଉର୍ଦ୍ଦୁ, ତେଲଗୁ ଓ ଆଦିବାସୀ ଭାଷା ମଧ୍ୟ ଜାଣିଥିଲେ । କର୍ମମୟ ଜୀବନରେ ସେ ବିଭିନ୍ନ ଭାଷାର ସାହିତ୍ୟ ଓ ସଙ୍ଗୀତ ସମ୍ୱନ୍ଧରେ ଯଥେଷ୍ଟ ଗବେଷଣା କରିଥିଲେ । ପଚାଶ ବର୍ଷରୁ ଊର୍ଦ୍ଧ୍ୱକାଳ ଉତ୍କଳ ଭାରତୀଙ୍କ ସେବା କରିବା ସଙ୍ଗେ ସଙ୍ଗେ ଶତ ଶତ ଛାତ୍ର ଛାତ୍ରୀ ସଙ୍ଗୀତ ଶିଳ୍ପୀ, ଗାୟକଙ୍କୁ ସେ ସାହିତ୍ୟ ଓ ସଙ୍ଗୀତର ଦୀକ୍ଷା ଦେଇଛନ୍ତି… ରଖି ଯାଇଛନ୍ତି ସୁମହାନ ଆଦର୍ଶ ଓ ଐତିହ୍ୟ । ତାହାଙ୍କର ଜୀବନ ଥିଲା ଘଟଣାବହୁଳ ଓ ବୈଚିତ୍ର୍ୟମୟ । ବିଜ୍ଞାନର କୃତୀ ଛାତ୍ର, ବିଦେଶୀ ସରକାରଙ୍କ ଦ୍ୱାରା ଲାଞ୍ଛିତ ଓ ନିର୍ଯ୍ୟାତିତ ବିପ୍ଳବୀ କିପରି ଯଶଶ୍ୱୀ ସାହିତ୍ୟରଥୀ, ଶିଳ୍ପୀ, କଳାକାର ହେଲେ… ସେ ଏକ ଦୀର୍ଘ କାହାଣୀ । ଈଶ୍ୱର ଦତ୍ତ ପ୍ରତିଭା ଅଗାଧ ପାଣ୍ଡିତ୍ୟ, ଏକନିଷ୍ଠ ସାଧନା ଓ ଅକୃତ୍ରିମ ସ୍ୱଦେଶ ପ୍ରେମର ଅପୂର୍ବ ସମନ୍ୱୟ ଘଟିଥିବାରୁ ସେ ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରର ପ୍ରତିଟି ବିଭାଗକୁ ଅନବଦ୍ୟା ରଚନାବଳୀ ମାଧ୍ୟମରେ ସମୃଦ୍ଧ କରିଛନ୍ତି । ଜନରଞ୍ଜନ ବିଦ୍ୟାରେ ସେ ଥିଲେ ଅଦ୍ୱିତୀୟ କୁଶଳୀ କଳାକାର, ‘ଓସ୍ତାଦ୍‌ କା ଓସ୍ତାଦ୍‌’ ସେ ଥିଲେ ସତ୍ୟ ଓ ସୁନ୍ଦରର ପୂଜାରୀ, ଜୀବନରେ ଅଶେଷ ଧନ ମାନ ଯଶଃ ଖ୍ୟାତି ଅର୍ଜନ କରିଥିଲେ । ପ୍ରାୟ ତିରିଶଟି ଛନ୍ଦକାବ୍ୟ, କୋଡ଼ିଏଟି ନାଟକ, ଦେଢ଼ ହଜାର ଗୀତ, ଅସଂଖ୍ୟ ଗଳ୍ପ, କବିତା, ପ୍ରବନ୍ଧ ରଚନା କରି ଯାଇଛନ୍ତି । ତାହାଙ୍କର ଧାରାବାହିକ ରଚନାବଳୀ ‘ଆଖଡ଼ାଘର ବୈଠକ’ ଓଡ଼ିଆ ଗଦ୍ୟ ସାହିତ୍ୟରେ ବିଶିଷ୍ଟ ଆସନ ଲାଭ କରିଛି । ତାହାଙ୍କର ଗୀତ ଓ କାବ୍ୟମାନ ପ୍ରକାଶିତ ହେବାର ବହୁ ପୂର୍ବରୁ ସଭାସ୍ଥଳେ ଅସଂଖ୍ୟବାର ପରୀକ୍ଷିତ ହୋଇଥାଏ । ସଂଶୋଧନ ଓ ସଂଯୋଜନ ପରେ ହୋଇଯାଏ ନିକଷିତ ହେମ । କବିମଞ୍ଜୁଳ ରଚିତ ଗ୍ରନ୍ଥମାନଙ୍କ ମଧ୍ୟରୁ କେତେକ ପ୍ରକାଶିତ ହୋଇଛି । ଅନ୍ୟାନ୍ୟ ଗ୍ରନ୍ଥମାନ ନିକଟ ଭବିଷ୍ୟତରେ ପ୍ରକାଶିତ ହେବ । ବସୁ ସାହିତ୍ୟ ଆଜି ଓଡ଼ିଶାର ପୁର ପଲ୍ଲୀରେ ବିଶେଷ ଆଦୃତ ।

 

ବସୁ ସାହିତ୍ୟର ସ୍ରଷ୍ଟା କବିମଞ୍ଜୁଳ ଆଜି ଉତ୍କଳର ଘରେ ଘରେ ବନ୍ଦିତ । ଗଙ୍ଗାଜଳେ ଗଙ୍ଗାପୂଜା ହିଁ ବିଧି । ପିତୃଦେବଙ୍କ ଅମର ଆତ୍ମା ଉଦ୍ଦେଶ୍ୟରେ ପ୍ରଣାମ ସହ ଏହି କାବ୍ୟ ଉତ୍ସର୍ଗ କଲି ।

 

ଯାଜପୁର, ଶ୍ୟାମାପୂଜା

୨୯-୧୦-୭୦

ବିନୀତ

ବିଶ୍ଵେଶ୍ୱର ବସୁ

 

ଓଁ ନମଃ ଶିବାୟ ନମଃ କାଳିକାୟୈ

ପ୍ରଥମ ପର୍ବ

(ଡବଲ ଚୋଖା)

 

(କୃଷ୍ଣଙ୍କର ବାରଣାବତ ଆଗମନ, ସୂଚନା, ମୟଙ୍ଗ ସଭାନିର୍ମାଣ)

ଖାଣ୍ଡଦ ବନ ଦହନ,            ଆତଙ୍କେ ଜୀବନ ଦାନ,

ଲଭିଥିବାରୁ କୃତଜ୍ଞ ବିଜ୍ଞ ପ୍ରଧାନ

କୁଶଳ ଶିଳ୍ପୀ କିରିଟ,            ମେଧାବୀ ପଣେ ପ୍ରଥିତ

ବାରଣାବତେ ଅଟ୍ଟାଳି କଲେ ନିର୍ମାଣ

ବିଶ୍ୱରେ ଦୁଲ୍ଲଭ ସମ୍ଭାର,

ନିଭୃତ ଅବନୀ ଗର୍ଭୁ କରି ଉଦ୍ଧାର---

ଖଞ୍ଜାଇ ସେ ଉପାଦାନ,      ବିବିଧ ବୁଦ୍ଧି ବିଜ୍ଞାନ

ଧର୍ମରାଜ୍ୟେ ବେହରଣ ଉପଢୌକନ ।୧।

 

କି ଛାର ମର୍ତ୍ତ୍ୟମାନବ,      ସୁର କିନ୍ନର ଗନ୍ଧର୍ବ

ବୁଦ୍ଧିକି ଅଗମ୍ୟ କମନୀୟ ସୁଷମା

ନୟନ ମନ କୁହୁକୀ,      ବିଭା ବିଭବ ଦେଖିକି,

ବୋଲନ୍ତି ଧନ୍ୟ ଏ ‘ମୟ’ କୃତକରମା

କଳ୍ପନା ସିନ୍ଧୁକୁ ମନ୍ଥିକି,

ଥୋଇ ଦେଇଛନ୍ତି କଳା-କଳାନିଧିକି !

ଧନ୍ୟ ଏ ବିନ୍ଧାଣି ପଣ,      ନିସର୍ଗ ପ୍ରତିମା ଜାଣ

ମୂର୍ତ୍ତିମନ୍ତ ହୋଇ ନେତ୍ରେ ନାଚି ଗଲାକି ।୨।

 

କୃଷ୍ଣାନୁଗତ ଜୀବନ,            କୃଷ୍ଣାର୍ପଣେ ଲଗ୍ନମନ,

କୃଷ୍ଣ ବିଜେ କଲେ ହେବ ସଭା ପ୍ରବେଶ

ସଙ୍କଳ୍ପ କରୁଁ ମାନସେ,      ଦେବର୍ଷି ବିଜେ ସକାଶେ

ପ୍ରସଙ୍ଗେ ଶୁଣାନ୍ତି ପିତୃଲୋକ ନିର୍ଦ୍ଦେଶ

ରାଜସୂୟ ଯଜ୍ଞାନୁଷ୍ଠାନ,

ପିତୃଲୋକଙ୍କର ଅଭିଳାଷ ପ୍ରଧାନ-

ହରିଶ୍ଚନ୍ଦ୍ର ଇନ୍ଦ୍ରପୁରେ,      ପଣ୍ଡୁରାଜା ଯମଦ୍ୱାରେ

ମାତ୍ରକ ଏ ରାଜସୂୟ ହୀନ କାରଣ ।୩।

 

ବାର୍ତ୍ତାବହ ବାର୍ତ୍ତା ପାଇ,      ପାଛୋଟି ଆଣିବା ପାଇଁ,

ଅର୍ଦ୍ଧପଥେ ଥିଲେ ବୃକୋଦର ଫାଲ୍‌ଗୁନି

ବାରୁଣୀ ନଭ ମଣ୍ଡଳ,      ରକ୍ତିମ ରାଗେ ଚଞ୍ଚଳ,

ଦିଶିଲା ଧୂଳିପଟଳ ଧ୍ୱଜା ନିଶୁଣି

ରଥଚକ୍ର ଘର୍ଘର ନାଦ,

ଉଚ୍ଛଳ କଲା କଲ୍ଲୋଳ ହୃଦ ଆହ୍ଲାଦ

 

ଶତ ଦୁନ୍ଦୁଭି ବାଜିଲା,      ସୁମନ ଦୃଷ୍ଟି ହୋଇଲା,

ଆଲିଙ୍ଗନ ଆପ୍ୟାୟନ କେଡ଼େ ବିଷଦ ।୪।

 

ଯେ ଜାଣେ ଜାଣେ ତା’ ମନ,            ଭକ୍ତ ହୃଦେ ଭଗବାନ

ଶୁଭାଗମ ପ୍ରତୀକ୍ଷାରେ ସ୍ପନ୍ଦନ କେତେ

ଅଭିନବ ଅନବଦ୍ୟ            କିଭାବ ସାତ୍ତ୍ୱିକ ସଦ୍ୟ,

ଆଚମ୍ବିତେ ଉଦୁଭବ ଅନ୍ତରଗତେ

ଛବିଳ ସ୍ୱର୍ଲୋକ ଆଲୋକ,

ହଜାଇ ଦେଲାକି ଧୈର୍ଯ୍ୟ ଜ୍ଞାନ ବିବେକ

ଚନ୍ଦ୍ରୋଦୟେ କୁମୁଦୀକି,      ବାରିଦାଗମେ ଚାତକୀ

ନାଚିଲା ମର୍ମ କେକାକି ଅଙ୍ଗେ ପୁଲକ ।୫।

 

ଦ୍ୱିତୀୟ ପର୍ବ

(ରାମକେଳି)

(ମନ୍ତ୍ରଣା---ଯୁଧିଷ୍ଠିର କୃଷ୍ଣ ସମ୍ୱାଦ)

 

ଖଣ୍ଡ ଖଣ୍ଡ ହୋଇ ପଡ଼ିଛି ଏହି ଭାରତବର୍ଷ

ପରସ୍ପର ଦ୍ୱନ୍ଦ ବିଗ୍ରହ ନାଶ କଲା ଉନ୍ମେଷ ।

 

କେବଳ ହେଉଛି ସଂଗ୍ରାମେ ଜନ ଅର୍ଥ ବିକାଶ

କେମନ୍ତେ ହୋଇବ ବିରାଟ ଅଭ୍ୟୁଦୟ ବିନାଶ ।

 

ବଳିଷ୍ଠଙ୍କ ଦାଉ ଦୁର୍ବଳେ ପେଶି ଦେଉଛି ନିତି

ଶାନ୍ତି ସ୍ୱାସ୍ଥ୍ୟ ବିଦ୍ୟା ବିଭବ ସ୍ୱପ୍ନ ପ୍ରାୟ ପତିତି ।

 

ଏକଛତ୍ର ଏକ ଧର୍ମର ପ୍ରତିଷ୍ଠା ମାତ୍ର ପଥ

ନିରପେକ୍ଷ ନ୍ୟାୟ ନିଷ୍ଠାର ଶାସନ ଅଭିପ୍ରେତ ।

 

ରାଜସୂୟ ଯଜ୍ଞ ବିଧେୟ ବାଞ୍ଛନୀୟ ସର୍ବଥା

ବଳିଷ୍ଠ ନିର୍ଲୋଭ ନିଃସ୍ୱାର୍ଥ ଧାର୍ମିକଙ୍କ ବ୍ୟବସ୍ଥା ।

 

ପ୍ରଜା ସାଧରଣ ସମୂହ ସୌଭାଗ୍ୟର କଳ୍ପନା

ନୋହିଲା ଯାଏଁ ନ ନିଭବ ଅଶାନ୍ତିର ଲାଞ୍ଛନା ।

 

କେବଳ ବିବୁଧେ ବିଦୁଷେ ବିଚକ୍ଷଣେ ଭାବିବେ

ସମସ୍ୟାର ଗୁଣ ଦୁର୍ଗୁଣ ପ୍ରଜାପାଟ କଳିବେ ।

 

ରାଜା ଥିବେ ତହିଁ ନଥିବ ରାଜ ଦର୍ପାଭିମାନ

ପ୍ରଜାଏ ବୁଝିବେ କରିବେ ବିହିତ ସମାଧାନ ।

 

ସକଳ ଶାସ୍ତ୍ର ବିଶାରଦ ନୀତିଧର୍ମ କୁଶଳ

ଭୂତ ଭବିଷ୍ୟ ବର୍ତ୍ତମାନ ଜ୍ଞାନେ ଯେହୁ ପୁଷ୍କଳ ।

 

ଯୋଗ୍ୟତମ ଯୁଧିଷ୍ଠିରଙ୍କୁ ସର୍ବାଙ୍ଗରେ ସୁନ୍ଦର

ଧୁରନ୍ଦର ଭ୍ରାତା ଗ୍ରହଣେ ନିଶ୍ଚେ ସେ ପୁରନ୍ଦର ।

 

ତଥାପି ଏ ବଡ଼ ଜଟିଳ ବଡ଼ ବିଘ୍ନ ସଙ୍କୁଳ

ସମ୍ଭୋଗ ବିଳାସୀ ରାଜନ୍ୟେ ହେବେ କି ଅନୁକୂଳ ।

 

ଜରାସନ୍ଧ ଚେଦୀ ଡିମ୍ଭକ ଛନ୍ତି ଖଳ ପ୍ରବଳ

ସେକି ସହଯୋଗ କରିବେ ଶୁନୀପୁଚ୍ଛ ସକଳ ।

 

ଦର୍ପ ଅଭିମାନ ଦମ୍ଭର ମୂର୍ତ୍ତିମନ୍ତ ପିତୁଳା

ଅତ୍ୟାଚାରେ ନିତ୍ୟ ଜର୍ଜର ଅଗଣ୍ୟ ଚନ୍ଦ୍ରଶାଳା ।

 

ନୋହେ ଅଧେ ଏକ ବିବେକ ହୀନ ଭାବେ ବାନ୍ଧିଛି

ଷଡ଼ଊର୍ଦ୍ଧ୍ୱ ଅଶିତୀନୃପ କାରାଗାରେ ଫିଙ୍ଗିଛି ।

 

ଅଷ୍ଟୋତ୍ତର ଶତ ହୋଇଲେ ରାଜନ୍ୟଙ୍କୁ ହାଣିବ

ମହାକାଳ ପୀଠେ ଶୋଣିତ ସ୍ରାଦେ ଚିତା ମାରିବ ।

 

ରାଜ୍ୟଧନ ପ୍ରଜା ପାଟକ ଲୋଟି ନେଇଛି ଖଳ

ସମ୍ରାଟ ହେବାର କଳ୍ପନା ଗତି ଉଗ୍ର ଚଞ୍ଚଳ ।

 

ହିଂସାର ଦୁର୍ଜୟ ଶାସନ ଭୀତି ବିହ୍ୱଳ ଜନ

କି ଧ୍ୟାନ କରିବ ଜୀବନେ ବୁଦ୍ଧି ପ୍ରତିଭା ଜ୍ଞାନ ।

 

ପଶୁବୁଦ୍ଧି ପଶୁ ବୃତ୍ତିରେ ଯେବେ ହେଲା ଦେହାନ୍ତ

ଆକାଶ କୁସୁମ ବ୍ୟର୍ଥତା ମାତ୍ର ତହୁଁ ସଂଜାତ ।

 

ସଂଗ୍ରାମର ବିଭୀଷିକାରେ ଅଗ୍ନି ଶିଖା ପ୍ରଜ୍ୱଳ

ଜାଳୁଛି ଭୟେ ନତଶିର ଭୀରୁ କେତେ ଭୂପାଳ ।

 

ଭୟେ ଚମକାଇ ରଖିଛି ପ୍ରଜା ପାଟକ ଗଣେ

ଲାଞ୍ଚ ମିଛ ଅର୍ଥ ଲାଳସେ ବାନ୍ଧି ଉଦ୍‌ବୀର୍ଯ୍ୟ ଜନେ ।

 

ଥିଲା କଂସ ତାର ଜାମାତା ହତ ହୋଇଛି ସତ

ତଥାପି ମଥୁରାରେ ବାସ ମୋତେ ନୋହେ ପ୍ରାପତ ।

 

ସେହି ଭୟେ ଛାଡ଼ି ମଥୁରା ଦ୍ୱାରକାରେ ବସତି

ସେ ଦେଶେ ନାହିଁ ପରିତ୍ରାଣ ଦେଖୁଛି କେତେ ଭ୍ରାନ୍ତି ।

 

କେବଳ ସାଗର ବେଷ୍ଟିତ ବାଲୁ ପନ୍ତାର ତଳେ

ଖେଦାଇ ନପାରେ ଦୁରନ୍ତ ମୋଡ଼ି ରହେ ଅକଳେ

 

ଏଥକୁ ବିହିତ ବିଧାନ ଭାବି କରିଛି ସ୍ଥିର

ସାର୍ଥ ଏହି କୌଶଳ ମୃତ୍ୟୁ ଧ୍ରୁବ ଅଚିର ।

 

ତାର ସେ ବିଶାଳ ବାହିନୀ କେହି ଅଛିକି କ୍ଷମ

ଶତବର୍ଷେ କ୍ଷୁନ୍ନ ହେବନି ବାତୁଳ ହେବ ଶ୍ରମ ।

 

ନାହିଁ ବାହିନୀ ପ୍ରୟୋଜନ ରକ୍ତପାତ ଦୁର୍ବାର

ମାତ୍ରକ ତିନୋଟି ପରାଣ ପୀଢ଼ରେ କାରବାର ।

 

ମୁହଁ ବୃକୋଦର ଫାଲ୍‌ଗୁନୀ ଜୀବନ କରି ପଣ

ଦ୍ୱୈତେ ପ୍ରତିପକ୍ଷ ହେବାକୁ କରିବୁ ଆମନ୍ତ୍ରଣ ।

 

ଜାଣିଛି ତାହାର ମରଣ ନାଟିକା ଯହିଁ ଅଛି

ନିଶ୍ଚୟ ବିଜୟ ଆମର ଲଲାଟରେ ରହିଛି ।

 

ସାଫଲ୍ୟର ସର୍ବ ସୂଚନା ନୋହୁ କାଳ ବିଳମ୍ବ

ଶତ୍ରୁଜୟ ମିତ୍ର ଲାଭର ଯୋଗ ଅତି ଦୁଲ୍ଲଭ ।

 

ଭ୍ରାତା ଆମ ବେନି ନୟନ ଆତ୍ମା ପୁରୁଷ ତୁମ୍ଭେ

ଅଜ୍ଞେୟ ତ୍ରିକାଳ ଦରଶୀ ଏକ ଲୀଳା ପ୍ରାରମ୍ଭେ ।

 

ତୃତୀୟ ପର୍ବ

(କାମୋଦୀ)

 

---ଚୈତ୍ୟ ଶୃଙ୍ଗଭେଦ---

ଗିରି ଶିଖର ଶୃଙ୍ଗ, ପଞ୍ଚମୁଖ ସୁତୁଙ୍ଗ,

ବେଷ୍ଟିତ କରିଛି ସଂସ୍ଥାନ---

ବଇରି ପରସଙ୍ଗ, ଅଙ୍ଗବାତ ତରଙ୍ଗ,

ବାଜିଲେ ଗର୍ଜଇ ବିଷାଣ ।

ମାୟାଚାରୀ: କୃତାନ୍ତ ମଲ୍ଲ ଭଲ୍ଲଧାରୀ,

ଅଛନ୍ତି ସହସ୍ର ପ୍ରହରୀ

କେମନ୍ତେ ହେବେ ପାରି, କାଳବ୍ୟାଳ ସଞ୍ଚରି,

ଏ ହେଲା ଭାବାନା ସବୁରି ।୧।

 

ଅଘଟନ ଘଟନ, ଚାତୁର୍ଯ୍ୟ ବିଚକ୍ଷଣ,

ବୋଇଲେ ଚୂର୍ଣ୍ଣକର ଭେରୀ

ବୃକୋଦର ବଳିଷ୍ଠ, ପଦାଘାତେ ଗରିଷ୍ଠ

ପିଣ୍ଡ ଗଡ଼ିଲା ଲୋଷ୍ଟ୍ରସରି, ମାୟାଦେହୀ

ଯନ୍ତ୍ର ସେ ଚିତ୍ତକାର କରଇ

ଆପଣା କମ୍ବୁସ୍ୱନ ଦେଇ

କୌଶଳେ ସ୍ୱର ଯୋଗେ ପାର୍ଥ ଖେଳାନ୍ତି ରାଗେ

ଦୂରକୁ ବିକୃତ ଶୁଭଇ ।୨।

 

କାଳ ନାଗ ଜଗିଛି, ତରାଟି ଅନାଇଛି,

ଟେକି ଟାକିଛି ଫଣାମାନ

ଖଗପତି ସ୍ମରଣ, ଛାଟନ୍ତେ ଗଦାମାନ,

ଭାମେ ଲୁଚିଲା ବିଳସ୍ଥାନ ।

ତିନିଜଣ ସ୍ନାତକ ବିପ୍ର ବେଶୀଟାଣ,

ଅଙ୍ଗ ଅଭାରେ ବିବସ୍ୱାନ

ମଖଶାଳରେ ଥିଲା, ‘ଆସନ୍ତୁ’ ସେ ବୋଇଲା

ଅର୍ପିଲା ଅର୍ଘ୍ୟ ଉପାଦାନ ।୩।

 

ବିଚିତ୍ର ଅଙ୍ଗରାଗ ଅସ୍ତ୍ରଲେଖା ସଂଯୋଗ

ଆଜାନୁ ଲମ୍ବିତ ଏ ଜୂନ

କଣ୍ଠେ କୁସୁମ ମାଳା, ସୁଗନ୍ଧ ତହି ବୋଳା

ବିପ୍ର ଲକ୍ଷଣ ଦିଶେ ବ୍ୟାପି

ସତ୍ୟସାର ଚୈତ୍ୟ ଶୃଙ୍ଗକୁ କରି ଜୁର

ନିଶ୍ଚୟ ଆସିଛା ତସ୍କର

କି ଜାତି କାହିଁ ଘର କିମ୍ପା ବ୍ୟାଜ ବେଭାର

କି ପ୍ରୟୋଜନ ମୋ ଠାବର ।୪।

 

ବିପ୍ର ବିନା ଆନଙ୍କୁ, ଆଜ୍ଞା ନାହିଁ ସ୍ଥାନକୁ

ବଡ଼ତ ଦେଖୁଛି ଏ ଦମ୍ଭ

ଜରାସନ୍ଧ ନାମରେ, ବିଶ୍ୱମ୍ଭରା ଧରାରେ

ଅଛି କେହିକି ନିରାଳମ୍ବ

ଚକ୍ରଧର, ବୋଲନ୍ତି ଶୁଣ ପ୍ରାଜ୍ଞବର

ଅଜଣା ନୋହୁଁ ‌କେ ତୁମ୍ଭର

ମୁହିଁ ସେହି କେଶବ, ଜାମାତା ହନ୍ତାତବ,

ବଲ୍ୟେ ଶୁଣିଛ ମଥୁରାର ।୫।

 

କୁରୁ ବଂଶ ସମ୍ଭୁତ, ବୃକୋଦର ଏ ପାର୍ଥ

ଶୁଣିଛ ନିଶ୍ଚେ ବୀର୍ଯ୍ୟ ଗାଥା

ଅଭିସନ୍ଧି ଦୂଷିତ, ନାହିଁ ମାତ୍ର କିଞ୍ଚିତ

ନିବେଦ୍ୟ ଅଛି କିଛି କଥା

ଷଡ଼ଶିତି, ବନ୍ଦୀ କରିଛି ମହୀପତି

ସ୍ୱଭାବେ ଦୁର୍ବଳ ସେ ଅତି

ଦିଅ ସଦ୍ୟ ମୁକତି, ନୋହେ ଆମ୍ଭ ଯୁକତି

ଦ୍ୱୈତ ସଂଗ୍ରାମେ ବଳା ମତି ।୬।

 

ଶୁଣି ବୋଇଲା ରୋଷେ; ମୋ ଭୟେ ଅବଶେଷେ

ସାଗର ଗର୍ଭେ କଲ ବାସ

ସ୍ୱଭାବେ ତୁମ୍ଭେ ଗୋପ, ତୁମ୍ଭ ସଙ୍ଗେ ସଂଳାପ

କେଉଁ ଭୂପଙ୍କ ଅଭିଳାଷ

ଏହି ଦୁଇ, ମାତ୍ର ବାଳୁତ ଦିଶୁଛଇଁ

ସମସ୍କନ୍ଦ ନୁହନ୍ତି କେହି

ମହାକାଳଙ୍କ ଭୋଗ, ଆମାନ୍ୟ ଉପଯୋଗ,

ଧୃଷ୍ଟ ଦର୍ପତା ଦୃଷ୍ଟି ତହିଁ ।୭।

 

ଚତୁର୍ଥ ପର୍ବ

(ଦର୍ପଭଙ୍ଗ ଦ୍ୱାଦଶାକ୍ଷରୀ ଢୁଆ)

 

ତାଚ୍ଛିଲ୍ୟ ଅଟ୍ଟହାସ ବ୍ୟଙ୍ଗ ପ୍ରବଳ

ପତଙ୍ଗ ଅଗ୍ନିମୁଖେ ଯଥା ଚଞ୍ଚଳ ।

 

ପିମ୍ପୁଡ଼ି ଅଙ୍ଗେ ଡେଣା ହେଲା ବାହାର

ଘୋଟିଛି ଅକାଳେ କି ବାୟୁ ବିକାର ।

 

ଆପଣା ଶକ୍ତିବଳ ପରିମାଣକୁ

ନ ଭାବି ଧାଉଁଛନ୍ତି ମୃତ୍ୟୁ ଧାମକୁ ।

 

ଶିଶୁଙ୍କ କ୍ରୀଡ଼ା ଭୂମି ପ୍ରାୟେ ବିଚାର

ଚୂର୍ଣ୍ଣ କରୁଛି ନିତ୍ୟ କେତେ ମନ୍ଦର ।

 

ଉପାୟ ସଙ୍ଗେ ଅପାୟର କଳନା

ନଥିଲେ ତାହା କବନ୍ଧଙ୍କ କଳ୍ପନା ।

 

ନ ବିଚାରି ବଇରି ବିକ୍ରମ ବଳ

ଉନ୍ନାଦ ଝାମ୍ପ ଦେଲେ ବିଷମ ଫଳ ।

 

ନିର୍ବୋଧ ଅର୍ବାଚୀନ ଷଡ଼ ଅଶିତି

ପ୍ରତ୍ୟକ୍ଷେ ଦେଖି ଚୁମ୍ବ ଦିଅ ନିୟତି ।

 

ଶୁଣି ନା ପରା ଜରାସନ୍ଧ ପ୍ରବନ୍ଧ

ରାକ୍ଷାସୀ ଜନମା ଦୁର୍ବାର ଦୁର୍ମଦ ।

 

ତାପସ ତେଜେ ମହାକାଶ କିଙ୍କର

ଅର୍ଭକ ଅବିବେକ ପଳା ସତ୍ତ୍ୱର ।

 

ଗାୟାଳ ବୁଦ୍ଧି ଜାତ ସ୍ପର୍ଦ୍ଧା ତୁମ୍ଭର

ଚୂର୍ଣ୍ଣ କରିବ ମାତ୍ର ଗୋଟେ ଫୁତ୍‌କାର ।

 

ତୁମ୍ଭ ସଙ୍ଗେ ସଂଗ୍ରାମେ ନିନ୍ଦା ମୋହର

ଏକାନ୍ତ ବାଞ୍ଛା ଦେବି ଦେଖ କିଙ୍କର ।

 

ମଖ ଶାଳାରେ ଭିକ୍ଷା ସ୍ନାତକ ବେଶେ

ମାତ୍ରକ ବୀର ତୁମ୍ଭ ପିଣ୍ଡ ସକାସେ ।

 

ଶୃଗାଳ ସଙ୍ଗେ ପ୍ରତି ପକ୍ଷ ହେବାକୁ

କେଉଁ କେଶରୀ ଧାଏଁ ଲଜ୍ଜା ନେବାକୁ ।

 

କାକୋଦର ଗଜୁଛି ଗରୁଡ଼ ବାସେ

ଚାପୁଡ଼ା ଗୋଟାକେ ନିଭିବ ନିଃଶେଷେ ।

 

ମୁଁ ନୋହେ ଷଣ୍ଡା ବକା ଜାମଳାର୍ଜ୍ଜୁନ

ପଶୁ ବିହଙ୍ଗ ବୃକ୍ଷ ତୁଲେ ସମାନ ।

 

ନୋହେ ପୁତନା ମୁହଁ ଅବଳା ନାରୀ

ଶ୍ୱାସେ ଜଳୁଛି ଶତ ଆଗ୍ନେୟଗିରି ।

 

କେଶବ ନିନ୍ଦା କର୍ଣ୍ଣେ ବଜ୍ର ବାଣ୍ଟୁଳି

ବିନ୍ଧିଲା ବୃକୋଦର ମରମସ୍ଥଳୀ ।

 

ଅଳପ ବଳବୀର୍ଯ୍ୟେ ବଡ଼ ଚାତର

ଯେ ଯାହା ହିତାହିତ ତାକୁ ଗୋଚର ।

 

କ୍ରୋଧେ ଆରକ୍ତ ମୁଖ ବୋଲନ୍ତି ବୀର

ଥାଉ ଥାଉ ତେତିକି ଗାରିମା ଗିର ।

 

ବାଚାଳ ଘେନି ତୁଚ୍ଛ ମର ଶରୀର

କହ କେମନ୍ତେ ନାଶ ନାହିଁ ଏଥିରେ ।

 

ଦେଖୁଛ ପ୍ରାଣବଳି ଦେବା ପାଇକି

ମଖଶାଳାରେ ଉଭା ଲୋଭ କାହିଁକି ।

 

ଶିଷ୍ଟ ସେବାରେ ଅବା ଦୁଷ୍ଟ ଦଳନେ

ଏ ଜୀବ ଗଲେ କ୍ଷୋଭ ନୋହିବ ମନେ ।

 

ଗୁରୁ ଗୌରବ ଜାତ ହେବ ମନରୁ

ତା’ ସ୍ଥାନ ବହୁ ଊର୍ଦ୍ଧ୍ୱେବୀର ପଣରୁ ।

 

ଜାଣନ୍ତୁ ବିଶ୍ୱେ ପାଳ ପେଣ୍ଡୁଳା ଦେଖି

ଭ୍ରମେ କାକୁସ୍ଥେ କେତେ ଅସାରା ଆଖି ।

 

ମିଥ୍ୟା ଦୁର୍ବଳ ମନ ଭୀତି କାତର

ଭୀତିରୁ ଭ୍ରମ ଭ୍ରମୁଁ ତେଜ ସଂହାର ।

 

ପଚା ପାଣି ଜନମା ଡାଆଣି ଜ୍ୟୋତି

ଦେଖି ଅତରଛେ କେ ହରାନ୍ତି ଧୃତ ।

 

ମିଥ୍ୟା ଜନରବରେ ରକତ ଜଳ

ଅବିଳମ୍ବେ ପରଖି ହେବ ସକଳ ।

 

ଲାଞ୍ଚ ଖୁଆଇ ପ୍ରଲୋଭନେ ଲୋଭାଇ

ଭାଇଙ୍କୁ ଭାଇ ପଛେ ଦିଅ ଟିହାଇ ।

 

ଶେଷେ ଦୁହିଁଙ୍କ ମାରି ଖେଳ ଖେଳାଇ

ଧନ ଲୁଠାଇ ଦେଖ ବୃଥା ବଡ଼ାଇ ।

 

ବାସ୍ତବେ ନିଜ ପଣ ଓଜନ କେତେ

ଦେଖିବୁଁ ଆମ୍ଭେ ଦେଖୁ ବିଶ୍ୱସାକ୍ଷାତେ ।

 

ନାଟୁଆ ଆସ୍ପାଳେନ ଜାଣୁଁ ଅଶେଷ

ଭୁଲିବ ନାହିଁ ମନ ତହିଁ ବିଶେଷ ।

 

ପ୍ରଗଲ୍‌ଭ ବାକ୍ୟବାଣ କଲା ଜର୍ଜର

ଜାଣି ନ ଥିଲା ତୁଣ୍ଡେ ଏତେ ଜହର ।

 

ବାତାହତ ଅଶ୍ୱସ୍ଥ ପତ୍ର ପ୍ରକାର

କି ବୋଲୁ କି ବୋଇଲା ନାହିଁ ଆକାର ।

 

କ୍ଷୀର ନୋହେ ଏ ଗର କଣ୍ଠ ବାଚାଳ

ଘୋଟିଛି ଯୁଦ୍ଧ ନିଶା ଅତି ପ୍ରବଳ ।

 

କି ମୁଦ୍ଧ ବାଞ୍ଛା କହ କହ ସତ୍ତ୍ୱର

ଘୋଷଣା କର ଦ୍ୱୈତ ମଲ୍ଲ ସମର ।

 

ଅଟ୍ଟାଟ୍ଟହାସ୍ୟେ ଭୋଳେ କଲା ସ୍ୱୀକାର

କୁସୁମ ସାୟକେ କି ଟଳେ ମନ୍ଦର ।

 

ଦେଖନ୍ତୁ ଜନପଦେ ପ୍ରଜା ପାଟକ

ପାର୍ଷଦ ପୁରାଙ୍ଗନା ସେବ୍ୟ ସେବକ ।

 

ନ୍ୟାୟେ କଳନ୍ତୁ ସର୍ବେ ଛବି ଛଟକ

ରୀତି କୌଶଳ ବୁଦ୍ଧି କାର କେତକ ।

 

ତଥାସ୍ତୁ ବୋଲି କମ୍ପେ କ୍ରୋଧ ବିକାରେ

ନିୟତି ହସୁଥିଲେ ହୋମ ଶିଖାରେ ।

 

ପଞ୍ଚମ ପର୍ବ

(ଶିଶୁପା ବୃକ୍ଷର ବୃତ୍ତେ)

----ରଣାଙ୍ଗଣେ----

 

ଜାନାକୀର୍ଣ୍ଣ ରଙ୍ଗଭୂମି,      କ୍ରୀଡ଼ା କଉତୁକ ପ୍ରେମୀ

ଉନ୍ନାଦ କେ ଜଣେ ମଣିମାଙ୍କୁ ବୋଲେ ମଲ୍ଲେ ଯିବ ଅତିକ୍ରମି ।

 

ମରଣକୁ ଏତେ ଲୋଭ,       ଏତ ଦିଶେ ଅସମ୍ଭବ

ଭୃତ୍ୟ ପରିଜନ କଲେ ନିଯୋଜନ ତହି ମନ ନ ମାନିବ ।

 

ମଖଶାଳେ ଭିକ୍ଷା କଲା,       ବାରଣ କରି ନୋହିଲା

ଜହର ଖାଇ ସେ ହଜମ କରିଛି ତହିଁରେ ପ୍ରାଣ ନ ଗଲା ।

 

ଲୁହାରୁ ଟାଣ ଶରୀର---ବରଷା ଖରା କାକର

ସାଗର ପଥର ତୁଚ୍ଛ ତା ଅଙ୍ଗର କାହିଁରେ ନାହିଁ ବିକାର ।

 

ମଗର କୁମ୍ଭୀର ଧରି ନଖରେ ଦିଅଇ ଚିରି

ତାଳଗଛମାନ ଦାନ୍ତଣ ସମାନ ଶଗଡ଼େ ପିଠା ଚାକୁଳି ।

 

ଚାକୁ ଚାକୁ କରି ଖାଏ,       ଝର ଜଳ ପିଉଥାଏ

ହସିଲେ କାସିଲେ ବନସ୍ତ ଉଡ଼ାଏ ହାତୀ ବାଘକୁ ଚରାଏ ।

 

ପୋଡ଼ିଲା ଘରେ ବଞ୍ଚିଛି,       ରକତ କଞ୍ଚା ପିଉଛି

ବନସ୍ତେ ଅସୁରୀ ସଙ୍ଗେ ପ୍ରୀତି କରି ତାହାକୁ ବିଭା ହୋଇଛି ।

 

ମନ୍ତ୍ର ଯନ୍ତ୍ର କେତେ ଜାଣେ,       କହୁଛି ବଚନ ଟାଣେ

ଲଲାଟେ ଶୋଭୁଛି ଚନ୍ଦନ ତିଳକ ତୁଣ୍ଠ କୃଷ୍ଣ ନାମ ଭଣେ ।

 

ବେଳ ପ୍ରଖର ହୋଇଲା,       ମୁଦ୍‌ଗର ଗଦା ଆସିଲା

ମଲ୍ଲ ବେନିଜନ ଅଙ୍ଗଣେ ପଶନ୍ତେ ଉଦ୍‌ବେଗ ଚିନ୍ତା ବଢ଼ିଲା ।

 

ଐରାବତେ ଐରାବତ,       ଟଣାଭିଡ଼ା ପଦାଘାତ

ଦୂରକୁ ଶୁଭୁଛି ଘୂର୍ଣ୍ଣ ବଜ୍ରପାତ ଭୂମିକମ୍ପ ସହଜାତ ।

 

କେବାତଳେ କେ ଉପରେ,       ବିଧା ଚାପୁଡ଼ା ପ୍ରହାରେ

ପଲକେ ପଲକେ ଆତଙ୍କେ ପୁଲକେ ରୋମାଞ୍ଚ ସଂଜାତ କରେ ।

 

କେ କାକୁ ଊର୍ଦ୍ଧ୍ୱେ ଛିଟାଏ,       ଖସିଲା ବେଳେ ଗୁଟାଏ

ବୁଲାଇ ଲଲାଟେ ବକ୍ଷେ କେ ଫୁଟାଏ ଦନ୍ତ ରଗଡ଼ି ତୁଟାଏ ।

 

ଷଷ୍ଠ ପର୍ବ

(ଢୁଆ)

 

ସହସ୍ର ବିଧା ବୃକୋଦର ମାରଇ

ତଥାପି ମନ୍ଦରକୁ ମନ୍ଦାର ହୋଇ ।

 

ବିଚିତ୍ର ଦେଖି ବୃକୋଦର ହତାଶ

ଅସାଧ୍ୟ ଅଶରୀରୀ କୁଟ ପ୍ରକାଶ ।

 

ଭକ୍ତ ବତ୍ସଳ ଏକି ଲୀଳା ବିଳାସ

ଭକତ ଜନ ପ୍ରାଣେ ଏକି ପରାଶ ।

 

ଏକାଳେ ଅସ୍ତାଚଳେ ଭାନୁ ଲୋଟଇ

କୁମୁଦ କହ୍ଲାର କି ଫୁଟି ଆସଇ ।

 

ଆରତେ ରକ୍ଷାକର ଶରଣାଗତେ

ନିତ୍ୟ ପାଣ୍ଡବ ତ୍ରାତା ଖ୍ୟାତ ଜଗତେ ।

 

ଉଦ୍‌ବେଗେ ନେତ୍ର ପାଦତଳେ ଲୋଟଇ

ମନ୍ତ୍ରଣା ମନ୍ତ୍ର କରପୂଟେ ଖେଳଇ ।

 

ଦେଖିଲା ଚିରୁଛନ୍ତି ବେଣା ପତର

ଦୁଇ ଫାଳ କରନ୍ତି ସନ୍ଧି ମଧ୍ୟର ।

 

ବିକ୍ରମେ ନବବଳ ଖେଳି ଗଲାକି

ଦ୍ୱିଗୁଣ ଉତ୍ସାହରେ ଦଳି ଦେଲାକି ।

 

ତା’ପାଦ ନିଜ ପାଦେ ଚାପିଲା ବୀର

ଗ୍ରୀବା ମାଡ଼ିବସିଲା ପାଦ ଅପର ।

 

କଡ଼ାଇ ଅଙ୍ଗ ପଡ଼ିଥିଲା ଦୁରନ୍ତ

ବେନି ଭୁଜରେ ଊର୍ଦ୍ଧ୍ୱପଦ ଆୟତ୍ତ ।

 

ଦର୍ପେ ଓଟାରିବଳେ ଚିରି ଦିଅନ୍ତେ

ବିକଳ ଆର୍ତ୍ତନାଦ ଶୁଭେ ଦିଗନ୍ତେ ।

 

ଖଣ୍ଡ ଖଣ୍ଡ ପୃଥକ ଅଙ୍ଗ ଆକାଶେ

ଶୋଣିତ ଦୃଷ୍ଟି କଲା ପଳାନ୍ତି ତ୍ରାସେ ।

 

ଏ ନୋହେ ନର ନିଶ୍ଚେ ରୁକ୍ଷ ରାକ୍ଷାସ

କାଲିକି ଥିବ କିଏ ସଂସ୍ଥାନ ବାସ ।

 

ନିର୍ଭୟେ ରହି ପ୍ରଜାପାଟ ନିକର

ବୋଲୁଁ କେଶବ ପ୍ରଣମନ୍ତି ପୟର ।

 

ଭାଙ୍ଗ ଏ ବନ୍ଦୀଶାଳ କାଢ଼ ସୋଦର

କେ ଅନ୍ଧ ଜୀର୍ଣ୍ଣଚର୍ମ କଙ୍କାଳସାର ।

 

ମୁକ୍ତ ଗଗନ ମୁକ୍ତ ସମୀର ଗନ୍ଧ

ସତେ ମିଳିବ କେବେ ମୂକ୍ତି ପ୍ରବନ୍ଧ ।

 

ମାଲ୍ୟ ଗନ୍ଧ ଚନ୍ଦନ ନବ ବସନ

ପ୍ରତିଜନେ ସ୍ୟନ୍ଦନ ନିଯୋଗୀ ମାନ ।

 

ବିଜେ କରନ୍ତୁ ଯେଝା ରାଜ୍ୟେ ବହନ

ବାରଣାବତେ ରାଜସୂୟେ ମିଳନ ।

 

କୃତ କୃତ୍ୟ କେଶବ ପାଦେ ଲୋଟାଇ

ବୃକୋଦର ପାର୍ଥଙ୍କୁ ନେଲେ କୁଣ୍ଢାଇ ।

 

ଜରାସନ୍ଧଙ୍କ ସୂତ ସହ ଦେବଙ୍କୁ

ଅଭିଷେକ କରାଇ ନେଲେ ଅଙ୍କକୁ ।

 

କି ଗୁଣେ କୃଷ୍ଣ ନିତ୍ୟ ପୂଜ୍ୟ ଭାରତେ

କି ଗୁଣେ ତୁମ୍ଭ ନାମ ରଟେ ଯୁଗାନ୍ତେ ।

 

ତଡ଼ିତ ଗତିରେ ଏ ବାର୍ତ୍ତା ପ୍ରଚାର

କଣ୍ଠେ କଣ୍ଠେ ଲମ୍ବିଲା ସୌରଭ ହାର ।

 

ମଳୟ ଗନ୍ଧ ଅବା ନବ ପରଶ

ନବ ଆଲୋକ ଆଭା ଦିଗନ୍ତ ହାସ ।

 

(ଜରାସନ୍ଧ ବଧ ସମାପ୍ତ)

 

ସପ୍ତମ ପର୍ବ

(ଶଙ୍କରାଭରଣ)

----ସଭା ସମ୍ବାଦ----

 

ଖଳ ଯେତେ କ୍ରୂର କର୍ମା ପରଜା କଣ୍ଟକୀ

ଆତଙ୍କେ କାତର ପ୍ରାଣ ତୁଟିଲା ଆଣ୍ଟକି

କରି ଭବିଷ୍ୟ କଳନା, ଛତ୍ରଭଙ୍ଗ ନତଶିରେ ଅର୍ପିଲେ ସୁମନା ।୧।

 

ବିଶ୍ୱରେ ଟଳାଅ ନାହିଁ ସତ୍ୟର ସନ୍ଧାନ

ସତ୍ୟେ ସୁଖ ସତ୍ୟେ ଭୋଗ ସତ୍ୟେ ନାରାୟଣ

ଛାଡ଼ି ଦୁର୍ବଳ ଦଳନ, ସତ୍ୟସାର ତ୍ୟାଗମନ୍ତ୍ର ଶାନ୍ତିକି ସୋପାନ ।୨।

 

ଅର୍ଜନର ପଥ ବର୍ଜନରେ ବିଦ୍ୟାମାନ

ପ୍ରେମ ମହାମନ୍ତ୍ରରେ ବଳିଷ୍ଠ ଉପାଦାନ

କର ସୁକର୍ମ ସାଧନ, କର୍ମଫଳ କୃଷ୍ଣାର୍ପଣେ ସନ୍ତୋଷ ନିଦାନ ।୩।

 

ଧର୍ମରାଜାଙ୍କର ଏହି ଅନୁଜ୍ଞା ପ୍ରଧାନ

ଏଥି ବ୍ୟତିକ୍ରମ ହେଲେ ନିଶ୍ଚୟ ନିଧନ

ଦିଗ୍‌ ବିଜୟେ ଭ୍ରାତାଗଣ, ପ୍ରଚାର କଲେ ଘୋଷଣା କଲେ ଆମନ୍ତ୍ରଣ ।୪।

 

ପାଣ୍ଡବଙ୍କ ନିତ୍ୟଧନ ଅଚ୍ୟୁତ ଚରଣ

ଅଚ୍ୟୁତ ନାମେ ଚଳଇ ଶ୍ୱାସର ସ୍ପନ୍ଦନ

ତେଣୁ ବିଶ୍ୱେ ବଳୀୟାନ, କେହି ନ ଜାଣନ୍ତି ଏତେ ବଳ କି କାରଣ ।୫।

 

ଶତ୍ରୁକ୍ଷୟ ମିତ୍ରଲାଭ ସର୍ବତ୍ର ବିଜୟ

ଅକଳନ ଧନରତ୍ନ ହୋଇଛି ସଞ୍ଚୟ

ସର୍ବହେବ ବିତରଣ ରୋଗ ତୁର ଦୁଃଖୀ ବୃଦ୍ଧ ନିରିମାଖୀ ଜନ ।୬।

 

ଅଳଙ୍କାର ଆଭରଣ ବିହୀନ ନିର୍ଦ୍ଧନ

କେହି ନ ରହିବେ ହେଲା ବିହିତ ବିଧାନ

ଭୋଜ୍ୟ ପେୟ ଅକଳନ, ପ୍ରତିସ୍ଥଳେ ଗୀତବାଦ୍ୟ ନୃତ୍ୟ ସଂକୀର୍ତ୍ତନ ।୭।

 

ଅମର୍ତ୍ତ୍ୟ ଅମରାବତୀ ମର୍ତ୍ତ୍ୟେକି ଲୋଟିଛି

ଶତଚନ୍ଦ୍ରଶାଳାକୁ କେ ରସାଣେ ମାଠିଛି

ନୀଳ ଯମୂନାର ଜଳେ ସହସ୍ର ଦୀପାଳି ବିମ୍ବ ମଣିମାଳା ଖେଳେ ।୮।

 

ଏହିକି ସେ କୁରୁବଂଶୀ ରାଜର୍ଷି ସଂସ୍ଥାନ

ଏହିକି ସେ ଦେହରଣ ମୟଙ୍କ ନିର୍ମାଣ

ଯହି ମଖଶାଳା ଚାହିଁ ସପଲକ ନେତ୍ରମାନ ଅପଲକ ହୋଇ ।୯।

 

ସହସ୍ର ବିପଞ୍ଚ ନାଦ ସମାବେଦ ସ୍ୱନ

ଯତୀନ୍ଦ୍ର ବ୍ରହ୍ମଚାରୀଙ୍କ ମନ୍ତ୍ର ଉଚ୍ଚାରଣ

ଘୃତାହୂତି ଅବଦାନ ଧୂମାୟିତ ସୁରଭିତ ତୃଣରୁ ଗଗନ ।୧୦।

 

ସ୍ନାତକ ଋତ୍ୱିକ ହୋତା ସମିଧ ସମ୍ଭାର

ଧୂପ ଦୀପ ମାଲ୍ୟ ଗନ୍ଧ ବିବିଧ ପ୍ରକାର

ରଙ୍ଗଭୂମିକୁ ଅନାଇ କେ କହିବ ବାସବଙ୍କ ଦର୍ପ ଖଣ୍ଡି ନାହିଁ ।୧୧।

 

ସହସ୍ର ରତ୍ନ ପଲଙ୍କ ଆଲଟ ଚାମର

ଛାତ୍ରଧ୍ୱଜା ଝାଲେରୀର ଶୋଭା କି ଋଚିର

କାହିଁ ରତନ ତୋରଣ ରଶ୍ମିର ସମ୍ପାତେ ତାର ବିବିଧ ବରନ ।୧୨।

 

କୃତ୍ରିମ ଝର ତଡ଼ାଗ ସାଗର ବୋଇତ

ଶତହିଂସ୍ର ପଶୁଙ୍କର ସଂଗ୍ରାମ ଚିତ୍ରିତ

ଶତ ପିଞ୍ଜରେ ବିହଙ୍ଗ କାକଳୀ କଳରବରେ ମୁଖର ତରଙ୍ଗ ।୧୩।

 

କେକା କେକୀ ହଂସ ବକ ପିକଙ୍କ ନିସ୍ୱନ

ଶାଖାମୃଗ ନିଶଙ୍କରେ କରନ୍ତି ନର୍ତ୍ତନ

ନୃତ୍ୟକାରୀ କଳାକାର ବାଦ୍ୟକାରୀମାନଙ୍କର ମୁଦ୍ରାର ବିକାର ।୧୪।

 

ଇନ୍ଦ୍ରଜାଲ ମଲ୍ଲକ୍ରୀଡ଼ା ଭାନୁମତୀ ପେଡ଼ି

ତୁରଙ୍ଗ ମାତଙ୍ଗ ପୃଷ୍ଠେ ପାଇକଙ୍କ ଧାଡ଼ି

ବେଷ୍ଟି ପ୍ରାକାର ପ୍ରକାର ଅନାର୍ଯ୍ୟ ବାହିନୀ ଚାଙ୍ଗୁ ମାଦଳ ଘର୍ଘର ।୧୫।

 

କିରିଟ କୁଣ୍ଡଳଧାରୀ କେୟୂର ମଣ୍ଡିତ

ରାଜବଂଶୀ ଚଳାଚଳ ସକଳେ ଉଦ୍ଧତ

ମାତ୍ର ଦୂର ଅନ୍ତରାଳେ ବିମର୍ଷ ବଦନେ କେହି କେହି ଦିଶୁଥିଲେ ।୧୬।

 

ଗାତ୍ରଦାହ ଅନ୍ତର୍ଦ୍ଦାହ କୁହେକି କିଛିକି

ହାସ ପରିହାସ ତଳେ ଲୁଚି ରହିଛିକି

ଜ୍ଞାତ ଗୋତ୍ରଙ୍କ ଉତ୍‌ଥାନ କାଳିମା ରେଖାକି କିଛି କରିଛି ଲେପନ ।୧୭।

 

ହେବେ କିସେ ସୁଯୋଧନ ଅବା ଶିଶୁପାଳ

ରାଧେୟ ଡିମ୍ଭକ ବକ୍ର ତଥା ଖଳ ବ୍ୟାଳ

ପେଡୀବଦ୍ଧ ନାଗ ପରି ମୋଡ଼ି ମାଡ଼ି ରହିଛନ୍ତି ଭାଗ୍ୟକୁ ଆଦରି ।୧୮।

 

ମୂଳାଧାରା ଏ ସବୁର ଦ୍ୱାରକା ଠାକୁର

ଧର୍ମରାଜ୍ୟ ସଂସ୍ଥାପନ ମନ୍ତ୍ରଣା ନିକର

ସର୍ବ କଣ୍ଠେ ଶୁଭେ ଯଶ, କାହା କାହା ଶ୍ରୁତିକି ଏ ଜହର ବିଶେଷ ।୧୯।

 

ଅଙ୍ଗ ବଙ୍ଗ କଳିଙ୍ଗ ଗୁଜ୍ଜର କି କୋଶଳ

କର୍ଣ୍ଣାଟ ଭୋଟ ଗାନ୍ଧାର ମଗଧ ଉତ୍କଳ

ହିମାଦ୍ରିରୁ କୁମାରିକା ଦିଗ୍‌ବିଜୟେ ହୋଇନାହିଁ କାହିଁ କିଣା ବିକା ।୨୦।

 

ଧର୍ମରାଜ ଗୁଣପଣ ମଧୁ ସମ୍ଭାଷଣେ

ବିକିନାହିଁ କେ ନିଜକୁ ଛାଡ଼ି ଅଭିମାନେ ।

ଧ୍ୟାନ ନାହିଁ କାର ମନେ ଆତ୍ମୀୟ ସ୍ୱଜନୁ ଭିନ୍ନ କେହି ଦୂରଜନେ ।୨୧।

 

ନିଷ୍ଠାପର ଯତ୍ନଶୀଳ ଏକକୁ ଆରେକ

ଯୋଗ୍ୟତର ନାହିଁ କେହି କହୁଛି ବିବେକ

ସର୍ବ ବାଢ଼ରେ ସମ୍ମତ ଅଜାତ ଶତ୍ରୁ ମାତ୍ରକ ସେହି ଏ ଭାରତ ।୨୨।

 

ଯୋଗ୍ୟଜନେ ପୂଜାଦାନେ ବଢ଼ିବେ ଗୌରବ

ଫୁଟିଲେ ଫୁଟୁ କୁସୁମ ମହକୁ ସୌରଭ

ହେଉ ସାମ୍ରାଜ୍ୟ ସୁନ୍ଦର ପ୍ରତିତନ୍ତ୍ରେ ବାଜିଉଠୁ ନବୀନ ମନ୍ତର ।୨୩।

 

ବେଷ୍ଟିତ ତାରକାଚକ୍ରେ ତାରାନାଥ ଯଥା

କରଯୋଡ଼େ ଧର୍ମରାଜ ବସିଥିଲେ ତଥା

ନିବେଦନ ପ୍ରତିଜନେ, ଯଜ୍ଞପୂର୍ଣ୍ଣ ହେଉ ବାଞ୍ଛା କରନ୍ତୁ ଆପଣେ ।୨୪।

 

ଭାର ଭାର ସମ୍ଭାର ରଖିବା ସ୍ଥାନ କାହିଁ

ଉପାୟନ ଉପଗ୍ରହେ ଯଶୋଧନ ଥାଇ

କୃପାଚାର୍ଯ୍ୟ ବିପ୍ରଗଣେ ତୋଷୁଥିଲେ ଭୋଜ୍ୟ ପ୍ୟେୟ ଦକ୍ଷିଣା ପ୍ରଦାନେ ।୨୫।

 

ଯେ ରାଜ୍ୟର ରାଜା ଯେତେ ଆଣିଥିଲେ ଧନ

ସେ ରାଜ୍ୟ ବ୍ରାହ୍ମଣ ନେଲେ ଦ୍ୱିଗୁଣ ପ୍ରମାଣ

ଭିକ୍ଷୁ ଦରିଦ୍ର ଆତୁରେ ଦାରିଦ୍ର୍ୟର ଚିତାନଳ ଜାଳିଲେ ତତ୍‌କାଳେ ।୨୬।

 

ଗନ୍ତାଘରେ ଦୁଃଶାସନ ସ୍ୱଭାବ ଉଦାର

ଅବା କିଛି କୂଟ ଥିଲା ମର୍ମ ଅଭ୍ୟନ୍ତର

ପ୍ରୟୋଜନରୁ ଅଧିକ ଛାଟୁଥିଲେ ଲୋଷ୍ଟ୍ରବତ କାଞ୍ଚନ ମାଣିକ ।୨୭।

 

ଶତତୀର୍ଥ ସସ୍ତସିନ୍ଧୁ ଜଳ ନିରିମଳ

ପାଞ୍ଚାଳୀ ଧର୍ମରାଜଙ୍କ ଶ୍ରୀଅଙ୍ଗ ପୁଷ୍କଳ

ଶୁଭେ ଦୁନ୍ଦୁଭି ମଙ୍ଗଳ, ରସନାରେ କୃଷ୍ଣନାମ ନେତ୍ରେ ଅଶ୍ରୁଜଳ ।୨୮।

 

ଅକ୍ଷତ ଧାନ୍ୟ ଦୁର୍ବାରେ କୃଷ୍ଣ ଦ୍ୱୈପାୟନ

କଲ୍ୟାଣ କରିଲେ ନିଜ କୁଳର ନନ୍ଦନ

ପ୍ରାଜ୍ଞ ପିତାମହ ଆଖି, କି ଜାଣିକି ପ୍ରେମେ ଊର୍ଦ୍ଧ୍ୱେ କାହିଁ ଥିଲା ଲାଖି ।୨୯।

 

ଅଷ୍ଟମ ପର୍ବ

(ବାରଣାବତର---ବୃତ୍ତେ)

 

ରସକୋଇଲା

ବୃଷ୍ଣିବଂଶ ଅବତଂଶ କେଶବ

ପାଦ ଧୌତକାରୀ ଯହିଁ ସମ୍ଭବ

ସୁଯୋଧନ ଉପାୟନ ଗ୍ରାହକ

ଊର୍ଦ୍ଧ୍ୱରେତା ଦେବବ୍ରତ ଋତ୍ୱିକ

କୃଷ୍ଣ ଦ୍ୱୈପାୟନ ଯହି---ବିରଞ୍ଚି ପରା ରାଜଇ

ଶତସୁଧା ଶ୍ରାବୀ ମନ୍ଦାକିନୀ ଦ୍ରବି କେଉସ୍ଥଳେ ଖେଳୁ ନାହିଁ ।୧।

 

ଆମନ୍ତ୍ରିତେ ସମ୍ୱର୍ଦ୍ଧନା ସମ୍ଭାର

ଆୟୋଜନ ହେଲା ଅର୍ଘ୍ୟ ଦେବାର

ରାଜସୂୟେ ରାଜା ଆଦ୍ୟେ ଅର୍ଚ୍ଚନା

ସ୍ନାତକ ଋତ୍ୱିକେ ପଶ୍ଚାତେ ସିନା

ଆଦ୍ୟ ଅର୍ଘ୍ୟ ଶ୍ରେଷ୍ଠ ତମେ ଯେ---ସଂଶୟେ ମନ ଭରମେ

ପିତାମହଙ୍କୁ ପୁଛିଲେ ଧର୍ମରାଜ ବିଚାରି କହ ଉତ୍ତମେ ।୨।

 

ଦାନ ଦକ୍ଷତା ଶ୍ରୁତ ଶୌଚ ଲଜ୍ଜା

କୀର୍ତ୍ତି ବୁଦ୍ଧି ବିନୟରେ ଯା ସଜ୍ଜା

ଅନୁପମ ଶିରି ଧୈର୍ଯ୍ୟ ସନ୍ତୋଷ

ଏକାଦଶ ଗୁଣ ଏହି ବିଶେଷ

ସକଳ ଗୁଣ ନିଦାନ--ଦିଶୁ ନାହିଁ କେହି ଆନ

ଯଦୁବଂଶୀ କୃଷ୍ଣ ବିଷ୍ଣୁ ଅବତାର ସେହୁ ନିଶ୍ଚୟ ପ୍ରଧାନ ।୩।

 

ଯେ ପାଦ ନଖର ପ୍ରଭା ପରଶି

ଖଣ୍ଡୁଛି ଜାହ୍ନବୀ ପାତକ ରାଶି

ସେ ପୟର ଧୌତ କଲେ ରାଜନ

ପାଞ୍ଚାଳୀ କୁନ୍ତଳ କଲା ମାର୍ଜନ

ଚେଦୀ ରାଜା ବଳବନ୍ତ--ଶୁଣିଲା ଦୂରେ ଦୂରନ୍ତ

ଥାଉଁ ଆମେ ଏତେ ଭୁପାଳ ଜଗତେ କଲା ଏ ସିଦ୍ଧାନ୍ତ ।୪।

 

ଅପାର କ୍ଳେଦ ଖେଦ ଦୁଃଖହରା

ଭାବୁକ ଭକ୍ତ ଜନଙ୍କ ଆଶରା

ତ୍ରିବିକ୍ରମ ମୂର୍ଦ୍ଧା ସୌଷ୍ଠବ ରେଣୁ

ବିଶ୍ୱ ପାତକ ଧ୍ୱଂସନ କୃଶାନୁ

ସେ ପାଦ ତାଙ୍କର ଚାହିଁ ଗନ୍ଧ ଚନ୍ଦନ ଲେପାଇ

ଡବ ଡବ ଜଳ ଅଶ୍ରୁ ଅନର୍ଗଳ ଝରୁଥିଲା ଦ୍ରବ ହୋଇ ।୫।

 

ତେଣେ ଦୂରେ ବେଦ ଧ୍ୱନି ଶୁଭଇ

ଶତ ଶଙ୍ଖ ଭେରୀ ନାଦ ଗର୍ଜଇ

ବୃକୋନ୍ଦର ପାର୍ଥ ସୋଦର ଗଣେ

ଚାମର ଆଲଟେ କେବା ବ୍ୟଜନେ

ବାର‌ଦେ ଅଗ୍ନି ଯୋଖିଲା--ନେତ୍ର ପଥେ କି ଝରିଲା ସେ

ଝଞ୍ଝା କି ଉଦ୍‌ବାଳ ଘାଣ୍ଟେ ମର୍ମସ୍ଥଳ ତାଟକା ଚାହିଁ ରହିଲା ।୬।

 

‘ପ୍ରମାଣ ସାଧୁ ଏ’ ଧ୍ୱନି ମୁଖର

କୁଶଳି ଭେଦିଲା ଶ୍ରୁତି ଗହ୍ୱର

କ୍ରୋଟେ ରକ୍ତିମ ମୁଖ ଗଣ୍ଡସ୍ଥଳ

ପ୍ରଗଲ୍‌ଭେ ବୀର କେଶ କି ଚଞ୍ଚଳ

‘କେ ବୋଇଲା ଶୁଣେ ଥରେ ! ସେକି ବଞ୍ଚିଛି ଏଠାରେ

ପ୍ରିୟଜନ ଶଂସୀ, କେସେ ଛାଗ ‘ଖାସୀ’ ମଗଜେ ଅମେଧ୍ୟ ଧରେ ।୭।

 

ଋତ୍ୱିକ ସ୍ନାତକ ଭୂପାଳ ଥାଉ

‘ମେଣ୍ଡା ଧଡ଼ା କଢ଼ା’ ଆସିଲେ କାହୁଁ

ରାଜ୍ୟହୀନ ଦୀନ ପରଜାଟାଏ

କେବେ ଗୋପ କେବେ କ୍ଷତ୍ରୀ ବୋଲାଏ

ଦିଶିଗଲା ଦାଉ ଦାଉ ଯେ--ପାୟସ ପୁଳିନ୍ଦ ଯାଉ

ମହିମା ସାଗର ସତ୍ୟ ପଟାନ୍ତର କେ ସରି ବିଶ୍ୱରେ ଆଉ ।୮।

 

ଗୋପ ଆଭିରାଙ୍କ ମେଳେ ସଞ୍ଚରି

ଅବଳା ପୂତନା ଗୋହତ୍ୟାକାରୀ

ଜରାସନ୍ଧ ଭୟେ ତସ୍କର ପରା

ଭୀରୁ ଯା’ ସାଗର ଗର୍ଭେ ଆଶରା

ଅବସାନ ଜାତିରୀତି---ଶ୍ରେଷ୍ଠ ଅର୍ଦ୍ଧେ ତାର ପ୍ରୀତି ଯେ

ଲୋକାଳୟ ଯାର, ନାହିଁ ଶୂରାଚରା ଗୋସ୍ପଦେ ସିନ୍ଧୁ ଦୀଧିତ ।୯।

 

କାଲି ପ୍ରତାରକ ସ୍ନାତକ ବେଶେ

ଦ୍ୱୈତ ସଂଗ୍ରାମେ ମତାଇ ବିଶେଷେ

ନୀତିହୀନ ମାର୍ଗେ କୂଟ କୌଶଳେ

ପରବଳେ ନାଶି ନାଚେ ବିହ୍ୱଳେ

ଏହି ବଳବୀର୍ଯ୍ୟ ଦେଖି---ବଲ୍ମିକକୁ ନେଲେ ଟେକି

ଗଗନ ପଟରେ ଲାଖିଗଲା ପରା ବାୟୁଗ୍ରସ୍ତ ବୃଦ୍ଧ ଆଖି ।୧୦।

 

ଥାଉ ଦ୍ରୁପଦ ବୃଦ୍ଧ ବୟୋଜ୍ୟେଷ୍ଠ

କୁନ୍ତି ଭୋଜ ଭୋଜରାଜ ଗରିଷ୍ଠ

ବସୁଦେବ ଭୀଷ୍ମକାଦି ବରେଣ୍ୟ

ଅବା ସୁଯୋଧନ ରାଧେୟ କର୍ଣ୍ଣ

ଅନ୍ଧକୁ ପୁଚ୍ଛିଲେ ଅନ୍ଧ ଯେ---କହ ଜଡ଼ାଗୀତ ଛନ୍ଦ

ଅନ୍ଧ ଚାଲେ ପଥ କ୍ଳୀବଙ୍କ ବିବାହ ନିବାଡ଼ ଖାସା ପ୍ରବନ୍ଧ ।୧୧।

 

ଶତ ମହୀପାଳ, ଋତ୍ୱିକ ସକଳ, ସହସ୍ର ତାପସ

ଆଦ୍ୟ ଅର୍ଘ୍ୟ କାର, କରନ୍ତୁ ବିଚାର, କେ ଏହିଁ ସରସ ।

 

ପିତାମହ କହି, ଦିଶୁନାହିଁ କେହି, କେଶବ ତୁଳନ

ଯଶଃ ଶ୍ରୀୟ ଗୁଣ, ଏମନ୍ତ ନିପୁଣ, ଅଛି କେ ଭୁବନ ।

 

କ‌ଲେ ସହଦେବ, ଗୋଧନ ବିଭବ, ମଧୁପର୍କ ଦାନ

ଶିଶୁପାଳ ଥିଲେ, ତାଳି ମାରିଦେଲେ, ‘ବାହାବା ବିଧାନ’ ।

 

ଯାରଜଙ୍କ ଯଜ୍ଞ, ମିଳିଛନ୍ତି ବିଜ୍ଞ ନିନ୍ମଗା ସନ୍ତାନ

ଏ ନୋହି କେ ହୋନ୍ତା, ଅର୍ଘ୍ୟେ ବଳବନ୍ତା, ଗୋପାଳ ନନ୍ଦନ ।

 

ରାଜ୍ୟ ନାହି ଯାର—ପିୟର କିଙ୍କର, ଉଗ୍ରସେନଙ୍କର

ସେହି ବସୁଦେବ ସୁତ ବାସୁଦେବ ପାଦେ ଉପଚାର !

 

ଗୋହତ୍ୟାକାରୀକି ପାଞ୍ଚଣ ଧାରୀଙ୍କି, ପଘା ବୁହାଳିକି

ଧନ୍ୟ ଧନ୍ୟ ଆଖି, ବ୍ୟବସ୍ଥା ବିଲୋକି, ଆଦ୍ୟର୍ଘ୍ୟ ଥାଳିକି !

 

ହସିଲା ଅଟ୍ଟାଟ୍ଟ, ଛାଟିଲା କୁହାଟ, ଦେଖ ହୋ ଭୁରାଟ !

କାମଳ ଜଳକା, କ୍ଳୀବକି ବାଳିକା, ଫମ୍ପାକି ନିରାଟ ।

 

ବିରାଟ ଦ୍ରୁପଦ, ଥାଉଁ ବୟୋବୃଦ୍ଧ ବେଦବ୍ୟାସ ଦ୍ରୋଣ

ହସ୍ତିନା ମଣ୍ଡନ, ରାଜା ସୁଯୋଧନ, ଥାଉ ବିଦ୍ୟମାନ ।

 

ଛନ୍ତି କୁନ୍ତି ଭୋଜ, ଶାଲ୍ୱ ଭୋଜରାଜ, ଅଶ୍ୱତ୍‌ଥାମା କୃପ

ନୁହନ୍ତି ଋତ୍ୱିକ ହୋତା ବା ଯାଜକ, କି ଗୁଣେ ଅନୂପ ।

 

ଦିଶିଲା ଗୋପାଳ, ଏକାକୀ କେବଳ, ସୁନ୍ଦର ନାଗର

ପାଡ଼ରା ପୋକଙ୍କ, କଖାରୁ ଫୁଲକୁ ପ୍ରୀତି ସମାଦର ।

 

ଦେଖନ୍ତୁ ଯେ ଯାହା, ମୁଁ ବୋଲେ ତ ଏହା, ସ୍ୱଚ୍ଛପକ୍ଷପାତ

ନିର୍ଗୁଣେ ଟେକାଇ ଯୋଗ୍ୟକୁ ଦବାଇ ବାସନା ଗୁପତ ।

 

କି ଗୁଣେ କାହିଁକି, ବୁଝାଅ ଏତିକି, ନୀତିଜ୍ଞ କୁଶଳ

ମୋର ଏହି କଥା, ଯଥା କି ଅଯଥା, ବୋଲନ୍ତୁ ନିର୍ମଳ ।

 

ଶତ ପ୍ରିୟପଣ,ମମତା ବନ୍ଧକ, ପୃଥକ ସେ କଥା

ଏତ ସଭାସ୍ଥଳ, ନୋହେ ଅନ୍ତଃପୁର, କେମନ୍ତ ବ୍ୟବସ୍ଥା ।

 

ରାଜନ୍ୟ ମଣ୍ଡଳେ ତା’କଣ୍ଠେ ଓହୋଳେ ଅର୍ଘ୍ୟ ପୁଷ୍ପମାଳା

ହେଲା ଆମନ୍ତ୍ରଣ, ସର୍ବ ଅଭାଜନ, କବନ୍ଧ କେବଳ ।

 

ଯଜ୍ଞ ହବିଷ୍ୟାନ୍ନ, ତତ୍ତ୍ୱ ଅବଧାନ, ନ’ଥିଲେ ଯେସନ

ବିକ୍ଷିପ୍ତ ଯେମାନ, ଶ୍ୱାନକୁ ପାରଣ, ଏ ହେଲା ତେସନ ।

 

ପ୍ରଜା ପାଳନରେ, ପ୍ରବୀଣ ପଣରେ, କରିଲୁଁ ସ୍ୱୀକାର

ତେଣୁ ଚକ୍ରବର୍ତ୍ତୀ ହେବାରେ ଆପତ୍ତି ନୋହିଛି କାହାର ।

 

ପକ୍ଷପାତ ଯାର ଏତେ ବ୍ୟଭିଚାର ସେକି ଧର୍ମରାଜ

ବୁଦ୍ଧିହୀନ ବୃଦ୍ଧ, ବଚନ ଅସିଦ୍ଧି, କେ ଏଥି ନାରାଜ ।

 

ପରାକ୍ରମ ଚାହିଁ ଆସିଛିକି କେହି, ଭୟେ ଥରହର

କୃପାରୁ ମିଳିବ, ରତନ ଫଳିବ, ସେ ଲୋଭ କାହାର ।

 

ଶତ୍ରୁତା କଲେ ଏ ଇଷ୍ଟ ନାଶ ଭିୟେ କେହିତ ଆସିନୁଁ

ଅବା ଅର୍ଘ୍ୟ ମାଳ ସ୍ୱର୍ଗେ ଦେବସ୍ଥଳ ସେ ଆଶା ପୋଷିନୁଁ ।

 

ଧର୍ମାତ୍ମା କେମନ୍ତ ଦେଖନ୍ତୁ ଜଗତ, ଭଣ୍ଡ ଧର୍ମବକ

କରେନିକି ଶ୍ୱାନ, ବସି ସିଂହାସନ, ଚର୍ବଣ ପାଦୁକ ।

 

ମାଟିଆ ଚିଲଙ୍କୁ ଦୀକ୍ଷା ଢାଳିବାକୁ ମିଳିଛି ଉଲୁକ

ବିଗଡ଼ଙ୍କ ବୁଦ୍ଧି କେତେ ହେବ ଶୁଦ୍ଧି କର୍ମ ତ ବିପାକ ।

 

ନବମ ପର୍ବ

(କହିବୁ ବନ୍ଧୁଙ୍କୁ ଦୁତୀ …ବୃତ୍ତେ)

 

ଚାହୁଁ ଚାହୁଁ ଉପୁଜିଲା ବିରାଟ କନ୍ଦଳ

କେ ଥିଲେ ଉଦାରହୃଦ କେବା ଖଳବ୍ୟାଳ

ସର୍ବେ ଦିଶିଲେ ଚଞ୍ଚଳ

ଆମତ୍ରାଇ ଅପମାନ ଦେବାରେ କୌଶଳ

ବୋଲି ଉଠେ ଶିଶୁପାଳ

କ୍ଷତ୍ରିୟ ବୀର ଗୋଷ୍ଠୀଙ୍କୁ ଲାଞ୍ଛନା କରାଳ ।

 

ପିତୃଲୋକ ଅନୁଜ୍ଞାକି ହୋଇଲା ନିଷ୍ଫଳ

ଉଚ୍ଛୃଙ୍ଖଳ କୃଷ୍ଣନିନ୍ଦା କେଡ଼େ ଅମଙ୍ଗଳ

ଖେଦ ଧର୍ମରାଜ ମନେ

‘ନେଇଛନ୍ତି ଅର୍ଘ୍ୟକୃଷ୍ଣ ବସତୁ ମଉନେ’

ପିତାମହଙ୍କ ପ୍ରବୋଧ

‘କାହା ସାଧ୍ୟ ଏ ବିଶ୍ୱରେ ଟାଳିବ ପ୍ରବନ୍ଧ’ ।

 

‘ଧ୍ୱଂସକର ଯଜ୍ଞସ୍ଥଳ ପାଣ୍ଡବେ ସଂହାର

ଦୁଷ୍ଟ କୃଷ୍ଣ ଦୁଷ୍ଟ ବୃଦ୍ଧ ଦୁଷ୍ଟ ଯୁଧିଷ୍ଠିର’

 

ଶୁଣି ଧାଏଁ ବୃକୋଦର

କାହାର ଆସ୍ପର୍ଦ୍ଧା ଏଡ଼େ ଆସ ଫେରୁପଲ

ବୋଲୁଁ ରୋଧ ପିତାମହ

‘ଶୁଣ ବିବରଣ କିଛି ଦଣ୍ଡେ ସ୍ଥିର ରହ’ ।

 

ଜନ୍ମକାଳେ ଚତୁର୍ଭୁଜ ରାସଭା ଗର୍ଜନ

ସ୍ଥିର ହେଲା ଅଲକ୍ଷଣ ମାର ଏ ନନ୍ଦନ

ବୋଲେ ଆସି କେ ଅସୁରୀ

ବଳିଷ୍ଠ ଶ୍ରୀମନ୍ତ ସୁତ କି କାରଣ ମାରି

ଖସିଯିବ ଦୁଇବାହୁ

ଯାହାଙ୍କ ପରଶମା‌ତ୍ରେ ୟା’ ଶମମ ସେହୁ ।

 

ଦେଶେ ପଡ଼ିଗଲା ବିଷମ ଚହଳ

ଆତ୍ମୀୟ ସ୍ୱଜନ ମାନ ଦେଖିବାକୁ ଠୁଳ

ଏହି କେଶବଙ୍କ ଅଙ୍କେ

ଥୋଇଲା ମାତ୍ରକେ ବାହୁ ଛିଣ୍ଡିଛି ପଲକେ

 

ଶ୍ରୁତଶ୍ରବା ସେ ଆତଙ୍କେ

‘ବାବୁରେ ବିଟୋଳଭ୍ରାତା ରଖିବୁ ବିପାକେ’ ।

 

ଶତ ଅପରାଧ ମାତା କ୍ଷମିବି ନିଶ୍ଚୟ

ତତୋଧିକ ହେଲେ ହେବ ମୋ ହସ୍ତେ ବିଲୟ

ପୂର୍ଣ୍ଣ ହେବ ଏହିକ୍ଷଣି

ତାଙ୍କ ବିନା ନ ପାରିବ କେହି ଦୁଷ୍ଟେ ଜିଣି

ବିଷ୍ଣୁ କଳାରୁ କିଞ୍ଚିତ

ସଞ୍ଚିତ ଅଛି ତା’ ଅଙ୍ଗେ ହେବ ଆକର୍ଷିତ ।

 

ଦଶମ ପର୍ବ

(କୌଶିକ ତ୍ରିପଟା)

 

ଅଟ୍ଟହାସ୍ୟେ ଶୁଣିଲା ଏ ଗିର

ହେଲେ ହେବ କୃଷ୍ଣ ବୈରୀ ମୋର

କହ କାହିଲାଗି କୃଷ୍ଣ ଅନୁରାଗୀ

କୃଷ୍ଣକୁ ଏ ସମାଦରରେ

ବକ ବୈରାଗୀ

‘ଦେବବ୍ରତ’ ପରା ଏଥିଲାଗି ।

 

ସତୀ ଅମ୍ୱାକୁ ବଳେ ଆଣିଲା

ଶାଲ୍ୱବୀରେ ପ୍ରାଣ ବିକିଥିଲା

ଫେରାଇ ଦିଅନ୍ତେ ଶାଲ୍ୱ ନ ଘେନିଲା

(ଖେଦେ) କନ୍ୟା ଆତ୍ମଘାତୀ ହେଲା

ତାର ବିଳାପେ

ବୁଡ଼ିନିକି ନାରୀହତ୍ୟା ପାପେ ।

 

‘ଭୁଲିଙ୍ଗ’ ପକ୍ଷୀବନେ ଥାଇ

ବଦରିକାରେ ଧର୍ମ ଚୋବାଇ

 

ବୋଲଇ ଅହିଂସା

ସତ୍ୟ ଧର୍ମ ଜ୍ଞାନ ମାତ୍ରକ ମୁକ୍ତି ଆଣଇ

ଦୀର୍ଘ ତିଳକ

ରାଜୁଥାଏ ତା ଲଲାଟ ଯାକ ।

 

ବସିଥାଏ ସେ ଶାଖା ଶିଖରେ

କୃଷ୍ଣ କୃଷ୍ଣ ବୋଲାଇ ପ୍ରଖରେ

ହାଇ ମାରିଲେ ଶାର୍ଦ୍ଦୂଳ ଦନ୍ତ ମୂଳୁଁ

ଉଚ୍ଛିଷ୍ଟ ମାଂସ ଆହାରେ

ସେହି ପ୍ରକାର

କ୍ଳୀବ କୁଳାଙ୍ଗାର ତୋ ଆଚାର ।

 

‘ତୋତେ ଓଟାରି ଆଣି ହୁତାଶେ

ଛାଟି ସାରନ୍ତେଣି ଏ ନରେଶେ

କେବଳ କ୍ଷମା କଲାରୁ ପ୍ରାଣ ଘେନି

ବଞ୍ଚିଛୁ ତୁହି ବିଶେଷେ’

 

ତେଣେ ଏ କାଳେ

କ୍ଷୀପ୍ତ ପାଣ୍ଡବଙ୍କୁ କେ ସମ୍ଭାଳେ !

 

ଶତ ପଦାଘାତ କରେ ମୁହିଁ

ସହଦେବ କରନ୍ତେ ବଡ଼ାଇ

କେଶବ ବୋଲନ୍ତି ତୁନି ହୁଅ ସବୁ

ପ୍ରତ୍ୟୁତ୍ତର ଦେବି ମୁହିଁ

ଏବେ ଶୁଣନ୍ତୁ

ଭୁପାଳଗଣେ ନ୍ୟାୟ କରନ୍ତୁ ।

 

ଏକାଦଶ ପର୍ବ

(ପୂର୍ଣ୍ଣାହୁତି)

 

ଯାଦବୀ ଗର୍ଭରୁ ଜାତ ହୋଇ କୁଳାଙ୍ଗାର

ନିରବଧି ଯାଦବଙ୍କ କରେ ଅପକାର ।

 

ଶୁଣିଲା ଥରେ ନାହିଁ ମୁଁ ଦ୍ୱାରକା ନଗରେ

ଉପସ୍ଥିତ ଆଚମ୍ୱିତେ ମାତୁଳ ଆଗରେ ।

 

ଥିଲେ ରାଜା ଉଗ୍ରସେନ ରୈବତ ପର୍ବତେ

ମାତୁଳଙ୍କ ଉପ‌‌ରୋଧ ନ ବିଚାରି ଚିତ୍ତେ ।

 

ଲୁଣ୍ଠନ କଲା ଭଣ୍ଡାର ତାହା ମୁଁ ସହିଲି

ପଳାଇଛି ତସ୍କର ମାତ୍ରକ ଏ ଶୁଣିଲି ।

 

ଅଶ୍ୱମେଧ ବାଞ୍ଛାଥିଲା ପିତାଙ୍କର ମୋର

ଯଜ୍ଞବାଜି ଚୋରାଇଲା ଏହି ଦୁରାଚାର ।

 

ସୌବୀରରେ ମହୋତ୍ସବ ଦେଖିବାକୁ ଗଲା

ବଭ୍ରୁଯାଦବଙ୍କ ଭାର୍ଯ୍ୟା ବଳେ ହରି ନେଲା ।

 

‘ଭଦ୍ରା’ ନାମେ କନ୍ୟା ଥିଲା ଯାଦବ ନନ୍ଦିନୀ

‘ବସୁରାଜାଙ୍କୁ ସେ ବରିଥିଲା ବରାଙ୍ଗିନୀ ।

 

ମାତୁଳ କନ୍ୟା ଭଗିନୀ ନ କଲା ବିଚାର

ବିବାହ ବାସରେ ଚୋରୀ ହେଲା ହାହାକାର ।

 

ବାକ୍ୟ ଦେଇଥିଲା ଶତ ଦୋଷ କ୍ଷମିବାର

ସେଥିଯୋଗୁ ନୀରବେ ସହିଛି ଅତ୍ୟାଚାର ।

 

ଦେବବ୍ରତ ପିତାମହେ ଉତ୍କଟ ବଚନ

ସୌଜନ୍ୟ ସୌଷ୍ଠବହୀନ ଶୁଣିଲେ ଆପଣ ।

 

‘ଦୁବୃତ୍ତ’ ଆଖ୍ୟାରେ ଧର୍ମ୍ମରାଜେ ସମ୍ଭାଷଣ

କେ ପଚାରେ ମୋର କଥା ମୁଁ ତ ଅଭାଜନ ।

 

ଉଚ୍ଛୃଙ୍ଖଳ କୋଳାହଳ ହେଉଛି ଯେ ମାନ

ଶୁଭ କର୍ମକୁ ଭଣ୍ଡୁର କରିବା କାରଣ ।

 

ଷଡ଼ଶିତି ନୃପତିଙ୍କି ବନ୍ଦୀ ଯେ କରାଇ

ଅକାରଣେ ବଳିଦାନ କଳ୍ପନା ମନାଇ ।

 

ତହିକି ମନ୍ତ୍ରଣା ଦାତା ଏହି ପାପାଚାରୀ

ଛାୟା ପରା ଅନୁବ୍ରତେ ଥିଲା ଅନୁସରି ।

 

ତାର ଉଗ୍ର ଦକ୍ଷଭୁଜ ନୃପ ସାହାକାରୀ

ଗୃହେ ଗୃହେ ଉଠାଇଛି ଲୋତକ ଲହରୀ ।

 

ପଥିକ ବଣିକ ଜନେ ଧନହୀନ କରି

ରାଜା ହୋଇ ଦସ୍ୟୁବୃତ୍ତି ସହସ୍ର ଆଚରି ।

 

ସତୀଧର୍ମ ମୂଲ୍ୟହୀନ କରାଇ ପାମର

ବ୍ୟଭିଚାରେ ବଢ଼ାଇଛି ପୃଥ୍ୱୀ ପାପଭାର ।

 

କେତେ କାଳ ଏ ସକଳ ସହିବ ମେଦିନୀ

ସତ୍ୟଧର୍ମ ମହାପଥେ ସୁପଙ୍କିଳ ଗ୍ଳାନି ।

 

ଧୂମକେତୁ ପରାଦେଶ କଲା ନାରଖାର

ଆଜ ଏହିଠାରେ ହେବ ଅବସାନ ତାର ।

 

ଅଙ୍ଗୁଳି ଅଗ୍ରତେ ସୁଦର୍ଶନ ଗରଜିଲା

ଖରତର କ୍ଷୁରଧାରେ ମସ୍ତକ ଛିଣ୍ଡିଲା ।

 

କବନ୍ଧ ଟଳିଲା ରକ୍ତ ପିଚିକା ମାରିଲା

ଛିନ୍ମଶିର ଗଡ଼ି ଗଡ଼ି ପୟର ଚୁମ୍ୱିଲା ।

 

ବିରୋଧୀ ସମର ବାଞ୍ଛା ଅଛି ଯେବେକାର

ଆସନ୍ତୁ ସମରାଙ୍ଗଣେ ହେଉନ୍ତୁ ବାହାର ।

 

ନୀରବ ନିସ୍ପନ୍ଦ ସର୍ବେ ତ୍ରାସେ ଥରହର

କୁସୁମ ବୃଷ୍ଟି ହୋଇଲା ଧର୍ମରାଜ ଶିର ।

 

ପାଞ୍ଚଜନ୍ୟ ଶଙ୍ଖନାଦ କଲା ସ‌ମ୍ୱୋଧନ

ସୁକୃତେ ସୁକୃତି ଧ୍ୱଜା ହେଉ ଉଡ଼୍‌ଡ଼ୀୟାନ ।

 

ଗୋଟି ଗୋଟି ଧର୍ମରାଜ ପୟର ବନ୍ଦିଲେ

ସତ୍ୟର ସମୂହ ଦୀକ୍ଷା ସୂତ୍ରେ ଛନ୍ଦାଇଲେ ।

 

କଳୁଷ ପଙ୍କିଳ ଯେହୁ ମାନି ନ ମାନିଲେ

କୁରୁକ୍ଷେତ୍ର ରଣାଙ୍ଗନେ ଯିବାକୁ ରହିଲେ ।

 

ମହାଭାରତ ପ୍ରବନ୍ଧ ଅମୃତ ସମାନ

ପ୍ରସାଦ ବୋଲଇ ବାର୍ତ୍ତା ନିତ୍ୟ ସନାତନ ।

 

ପାଲା ପ୍ରସଙ୍ଗେ ଗ୍ରନ୍ଥକାରଙ୍କ ନିର୍ଦ୍ଦେଶ :

 

୧। ଆଖ୍ୟାନଗୁଡ଼ିକୁ ମନୋଜ୍ଞ କରିବା ଲାଗି ବାରମ୍ୱାର ଆଖଡ଼ାରେ ଗାନ କରି ସାହିତ୍ୟ ଶିକ୍ଷକ ଓ ପଣ୍ଡିତମାନଙ୍କ ସହିତ ଆଲୋଚନା ପରେ ଭୁଲ ଭ୍ରାନ୍ତି ସୁଧାରି ନେବେ । ସଭାସ୍ଥଳେ ଗାନ କରିବା ପୁର୍ବରୁ ଏ ସମସ୍ତର ପ୍ରୟୋଜନ ଅଛି ।

 

୨। ‌ଯେଉଁ ଗୀତ ବା ରଚନା ଗାଇ ପଚରା କରିଥାଉ ପୁଣି ଗାଇବାକୁ ଚିଟା ଲାଗୁଥାଏ, ଯେ କୌଣସି ନୂତନ ସ୍ଥଳେ ସେହିଗୁଡ଼ିକ କରନ୍ତି ଅଧିକ ଜନରଞ୍ଜନ । ମାତ୍ର ଦଶ ପଚାଶଥର ଗାଇଥିବା ଗୀତରେ ତେତେ ପ୍ରଭାବ ଦେଖାଯାଏ ନାହିଁ । ଅଖଣ୍ଡ ଭାବରେ ପଚିଶ ବର୍ଷର ନାଟୁଆ ମୁଁ – ଅଭିଜ୍ଞତାର ଗୋଟିଏ ନିଗର କଥା କହିଲି । ବିଚାର ଭ୍ରମ କରିବେ ନାହିଁ ।

 

୩। ୪ର୍ଥ ପର୍ବ କ୍ଷୀପ୍ର ବର୍ଣ୍ଣନାରେ ଜମକିବ । ଗାନ ବେଳେ ପଦଲୋପ ବା ମନଗଢ଼ା ରଚନା ଦେଇ ରସଭଙ୍ଗ କରାନ୍ତୁ ନାହିଁ ।

୪। ଷଷ୍ଠ ପର୍ବ ମଧ୍ୟ କ୍ଷୀପ୍ର ବର୍ଣ୍ଣନା ଦ୍ୱାରା ଅଧିକ ଜମକିବ । ଭଲକରି ମୁଖସ୍ତ କରିଥିବେ । ଧାମଲ ଆଦି ପ୍ରଚୁର ଦେବେ ।

 

୫। ସପ୍ତମ ପର୍ବରେ ସଭା ବର୍ଣ୍ଣନା ଲାଗି ସଂକ୍ଷେପରେ ବଛା ବଛା କେତୋଟି ମାତ୍ର ପଦ ଦିଆଗଲା । ଅନର୍ଥକ ବହୁକାଳ କ୍ଷୟ କରିବେ ନାହିଁ । ପ୍ରହରକ ମଧ୍ୟରେ ଶେଷ କରିବାକୁ ହେଲେ ୧ରୁ ୫, ୭, ୧୯, ୨୧, ୨୮, ୨୯ ପଦମାନ କେବଳ ଗାନ କଲେ ମଧ୍ୟ ଚଳିବ । ଅବସ୍ଥା ଦେଖି ବ୍ୟବସ୍ଥା କରିବେ ।

 

୬। ଅଷ୍ଟମ ପର୍ବ…ରସକୋଇଲାରେ ୧ ରୁ ୫ ପଦ ଗାଇ କଳସାରେ କିଛି ବର୍ଣ୍ଣନା ଦେଖାଇ ଫେରିଲେ ଅଧିକ ସଭା ରଞ୍ଜନ ହେବ । ଶ୍ରୀକୃଷ୍ଣଙ୍କ ଏକାଦଶ ଗୁଣ ୩ୟ ପାଦରେ ଦିଆ ହୋଇଛି । ଆଦ୍ୟ ଅର୍ଘ୍ୟ ତାହାଙ୍କୁ ନିବେଦନ କରାଯିବ କାହିଁକି ବିଚକ୍ଷଣ ଭାବେ ବର୍ଣ୍ଣନା କରିବେ । ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇ ପାରନ୍ତି…ସତର୍କ ଥିବେ ।

 

୭। ଅଷ୍ଟମ ପର୍ବରେ ଶିଶୁପାଳଙ୍କ କୃଷ୍ଣନିନ୍ଦା, ଭୀଷ୍ମ ନିନ୍ଦା, ଯୁଧିଷ୍ଠିର ନିନ୍ଦା ଯୁକ୍ତି ସିଦ୍ଧ ଭାବରେ ବର୍ଣ୍ଣନା କରିବେ । ଆଖଡ଼ାରେ ଭଲ କରି ସଜାଡ଼ି ନେବେ । ଉପାଦାନ ଓ ଇଙ୍ଗିତ ଦିଆ ହୋଇଛି, କେବଳ ଚତୁରତାରେ ଖଞ୍ଜିବେ । ଅବାନ୍ତର ପ୍ରସଙ୍ଗ ଉତ୍‌ଥାପନ କରି ପାଣ୍ଡିତ୍ୟ ଦେଖାଇବେ ନାହିଁ ।

 

୧୦। ଦଶମ ପର୍ବ ବର୍ଣ୍ଣନା ବେଳେ ‘ଦେବବ୍ରତ’ କାବ୍ୟରୁ ଅମ୍ୱାଚରିତ ସମ୍ୱନ୍ଧେ ପଦମାନ କିଛି କିଛି ନିବେଦନ କରି ପାରନ୍ତି । ସଂକ୍ଷେପେ ନିବେଦନ କରି ମୂଳ ଆଖ୍ୟାନକୁ ଫେରି ଆସିବେ । କବ ସମୟରେ ଶ୍ରୋତାଙ୍କ ମନୋରଞ୍ଜନ କରିପାରୁଛନ୍ତି କି ନା ବିଶେଷ ଲକ୍ଷ୍ୟ ରଖିବେ ।

 

୧୧। ପୁରପଲ୍ଲୀର ସଭାସ୍ଥଳରେ ଅନେକ ପ୍ରଶ୍ନର ସମ୍ମୁଖୀନ ହୋଇ ପାରନ୍ତି । ଅବସର ବେଳେ ଛୋଟ ବଡ଼ ଗ୍ରନ୍ଥାଗାରମାନଙ୍କରୁ ରାମାୟଣ, ମହାଭାରତ, ପୁରାଣ ପ୍ରାଚୀନ ସାହିତ୍ୟର ପୁସ୍ତକାବଳୀ ଆଣି ପଢ଼ିବେ, ସାହିତ୍ୟକ, ଶିକ୍ଷକ, ପଣ୍ଡିତ, ଅପର ଗାୟକଙ୍କ ସହ ଆଲୋଚନା କରିବେ । ବିଭିନ୍ନ ପ୍ରଶ୍ନ ସମାଧାନ କରିବା ସହଜ ହେବ । ଦୁଇ ତିନୋଟି ଭାଷା ଶିଖିବାର ଚେଷ୍ଟା କରନ୍ତୁ, ଅନେକ କିଛି ଶିଖି ପାରିବେ, ଜାଣି ପାରିବେ ।

 

କାବ୍ୟ ସମ୍ୱନ୍ଧ‌ରେ ପଦେ ଦିପଦ

 

ପିତୃଦେବ ରୋଗ ଶଯ୍ୟାରେ ରାଜସୂୟ ଯଜ୍ଞ ରଚନା କରିଥିଲେ । କିନ୍ତୁ ପ୍ରକାଶିତ ହେବା ପୂର୍ବରୁ ସେ ଇହ ଧାମ ତ୍ୟାଗ କଲେ । ପାଣ୍ଡୁଲିପିଟି କେତେକ ବର୍ଷ ଗୋଟିଏ ପ୍ରେସରେ ପଡ଼ିଥିଲା । ହାଇକୋର୍ଟ ମକଦ୍ଦମା ଯୋଗୁଁ ସେହି ପ୍ରେସଟି ୬।୭ ବର୍ଷ ହେବ ବନ୍ଦ ହୋଇ ଯାଇଛି । ପାଣ୍ଡୁଲିପି ଉଦ୍ଧାର ସମ୍ୱନ୍ଧରେ ମଧ୍ୟ ତାହାଙ୍କୁ ଅଶରୀରୀ ଆତ୍ମାର ନିର୍ଦ୍ଦେଶ ପାଇଥିଲି । ବିସ୍ମୟକର ପରିସ୍ଥିତି ମଧ୍ୟରେ ପାଣ୍ଡୁଲିପିଟି ମିଳିଲା…ସେ କାହାଣୀ ଏଠାରେ ଅବାନ୍ତର । କାବ୍ୟାବଳୀ ସମ୍ୱନ୍ଧରେ ତାହାଙ୍କ ସହିତ ବିସ୍ତୃତ ଆଲୋଚନା ହୋଇଥିଲା । କେତେକ କାବ୍ୟ ଟୀକା ଲେଖିଛି । ସରକାରୀ କାର୍ଯ୍ୟୋପଲକ୍ଷେ ବିଭିନ୍ନ ସ୍ଥାନରେ ଶାରଳାଦାସଙ୍କ ମହାଭାରତ ଓ ସଂସ୍କୃତ ମହାଭାରତର ହିନ୍ଦୀ ଓ ବଙ୍ଗଳା ଅନୁବାଦ ଗ୍ରନ୍ଥମାନ ପଢ଼ିବାର ସୁଯୋଗ ପାଇଥିଲି । କାବ୍ୟର ରସାସ୍ୱାଦନରେ ସହାୟତା କରିବା ପାଇଁ ଟୀକାର ପ୍ର‌ୟୋଜନ । ନବୀନ ଗାୟକ ଓ କାବ୍ୟ ପ୍ରେମୀଙ୍କ ଉଦ୍ଦେଶ୍ୟରେ ରାଜସୂୟ ଜରାସନ୍ଧ, ଶିଶୁପାଳ ବଧର ମୂଳ ଭୁମିକା ସଂକ୍ଷେପରେ ନିବେଦନ କରୁଛି । ରାଜସୂୟ ଯଜ୍ଞ ମହାଭାରତର ଏକ ଚିତ୍ତାକର୍ଷକ ଉପାଖ୍ୟାନ । ଜରାସନ୍ଧ ଓ ଶିଶୁପାଳ ଉଭୟେ ମହାଭାରତୀୟ ବିଶିଷ୍ଟ ଚରିତ୍ର । ଜରାସନ୍ଧ ଓ ଶିଶୁପାଳ ବଧର ଜତୁଗୃହ ଦାହ ପରେ ସମସ୍ତେ ମନେ କଲେ ପଞ୍ଚ ପାଣ୍ଡବ ଓ କୁନ୍ତିଦେବୀ ଜୀବିତ ନାହାନ୍ତି । ପ୍ରକୃତରେ ସେମାନେ ଏକଚକ୍ରାନଗରୀରେ ଛଦ୍ମବେଶ ଧାରଣ କରି ଆତ୍ମଗୋପନ କରିଥିଲେ । ବକାସୁର ବଧ ପରେ ଦ୍ରୌପଦୀଙ୍କ ସ୍ୱୟମ୍ୱର ସଭା ଉପଲକ୍ଷ୍ୟେ ପାଞ୍ଚାଳ ରାଜ୍ୟକୁ ଆସିଥିଲେ । ସ୍ୱୟମ୍ୱର ସଭାରେ ବ୍ରାହ୍ମଣ ଛଦ୍ମବେଶୀ ଅର୍ଜ୍ଜୁନ ଶ୍ରେଷ୍ଠ ବୀର ବୋଲି ଗଣ୍ୟ ହେଲେ…ଦ୍ରୌପଦୀ ବରମାଲ୍ୟ ଦେଲେ ତାହାଙ୍କୁ । ସେହି ସଭାରେ ଦୁର୍ଯ୍ୟୋଧନ, କର୍ଣ୍ଣ, ଶିଶୁପାଳ, ଶଲ୍ୟ, ଜରାସନ୍ଧ ପ୍ରଭୃତି ଖ୍ୟାତନାମା ବୀରମାନେ ଲକ୍ଷ୍ୟ ଭେଦ କରି ନପାରି ବିଶେଷ ମର୍ମାହତ ଓ ଲଜ୍ଜିତ ହୋଇଥିଲେ । ପାଣ୍ଡବଙ୍କ ପ୍ରକୃତ ପରିଚୟ ଗୋପନ ରହିଲା ନାହିଁ । ସେମାନେ ଦ୍ରୁପଦ ରାଜାଙ୍କ ପ୍ରସାଦରେ ଅବସ୍ଥାନ କରି ଶକ୍ତି ସଞ୍ଚୟ କରୁଥିଲେ ।

 

ଭୀଷ୍ମଦେବ, ଦ୍ରୋଣାଚାର୍ଯ୍ୟ ଓ ବିଦୁରଙ୍କ ପରାମର୍ଶରେ ଧୃତରାଷ୍ଟ୍ର ପାଣ୍ଡବମାନଙ୍କୁ ଅର୍ଦ୍ଧରାଜ୍ୟ ପ୍ରଦାନ କରି ଯୁଧିଷ୍ଠିରଙ୍କୁ ରାଜପଦରେ ଅଭିଷିକ୍ତ କଲେ । ଉଦ୍ଦେଶ୍ୟ ଥିଲା ପୂର୍ବ ପାପ ସ୍ଖଳନ ଓ ମୈତ୍ରୀ ସ୍ଥାପନ । ପଞ୍ଚ ପାଣ୍ଡବ ପୂର୍ବ ପୁରୁଷଙ୍କ ପୁରାତନ ରାଜଧାନୀ ଖାଣ୍ଡବପ୍ରସ୍ଥ ଲାଭ କଲେ । ଶ୍ରୀକୃଷ୍ଣ ଓ ଅର୍ଜ୍ଜୁନ ସେହି ଖାଣ୍ଡବପ୍ରସ୍ଥ ମୟ ଦାନବ ଓ ନୂତନ ରାଜଧାନୀ ଓ ନଗର କରିବା ସ୍ଥିର ହେଲା । ଅପରାପର ବିଚକ୍ଷଣ ଶିଳ୍ପୀ ଭାଷ୍କରଙ୍କୁ ନିୟୋଗ କରି ଧ୍ୱଂସୋନ୍ମୁଖ ଖାଣ୍ଡବପ୍ରସ୍ଥ ପୁନରୁଦ୍ଧାର କଲେ । ସୁରମ୍ୟ ସୌଧରାଜି ଦୁର୍ଗ, ପ୍ରାସାଦ ଶୋଭିତ ନଗରୀ ଇନ୍ଦ୍ର ଭୁବନ ସମ ବିରାଜୁଥିଲା । ନଗରୀର ନୂତନ ନାମାକରଣ ହେଲା ‘‘ଇନ୍ଦ୍ରପ୍ରସ୍ଥ’’ । ଏହାର ଧ୍ୱଂସାବଶେଷ ବର୍ତ୍ତମାନ ଦିଲ୍ଲୀ ନିକଟରେ ଅଛି । ଏହିଠାରେ ପଞ୍ଚୁପାଣ୍ଡବ ସୁଖରେ ରାଜ୍ୟପାଳନ କରି ଖ୍ୟାତି ଅର୍ଜନ କରିଥିଲେ । ତଥାପି ମଙ୍ଗଳାକାଂକ୍ଷୀ ଓ ପ୍ରଜାବୃନ୍ଦଙ୍କ ଆଗ୍ରହ ଓ ଅନୁରୋଧରେ ପିତୃଲୋକଙ୍କ ନିର୍ଦ୍ଦେଶରେ ଯୁଧିଷ୍ଠିର ରାଜସୂୟ ଯଜ୍ଞାନୁଷ୍ଠାନ କରି ରାଜଚକ୍ରବର୍ତ୍ତୀ ହେବାକୁ ମନସ୍ଥ କରିଥିଲେ । ଯୁଧିଷ୍ଠିରଙ୍କ ଆମନ୍ତ୍ରଣରେ ଶ୍ରୀକୃଷ୍ଣ ଦ୍ୱାରକାରୁ ଆସି ଇନ୍ଦ୍ରପ୍ରସ୍ଥରେ ପହଞ୍ଚିଲେ । ପଞ୍ଚୁପାଣ୍ଡବ ଭକ୍ତିପୂର୍ଣ୍ଣ ହୃଦୟରେ କେଶବଙ୍କୁ ପାଛୋଟି ନେଲେ ।

 

ପ୍ରବଳ ପରାକ୍ରାନ୍ତ ମଗଧରାଜା ଜରାସନ୍ଧ କଂସଙ୍କ ମାତୁଳ ଓ ଶ୍ୱଶୁର । ସେ କଂସ ନିଧନ ପରେ ଶ୍ରୀକୃଷ୍ଣ ଓ ଅପର ନରପତିମାନଙ୍କୁ ଯୁଦ୍ଧରେ ପରାସ୍ତ କରିଥିଲେ । ଶ୍ରୀକୃଷ୍ଣ ମଥୁରା ପରିତ୍ୟାଗ କରି ସୁଦୁର ଦ୍ୱାରକାରେ ଦୁର୍ଗ ଓ ନଗର ନିର୍ମାଣ କରି ରାଜତ୍ୱ କରିବାକୁ ବାଧ୍ୟ ହେଲେ ଶ୍ରୀକୃଷ୍ଣ ଅଜେୟ ନ ଥିଲେ । ଅଜେୟ ହୋଇଥିଲେ ନରଦେହୀ ନାରାୟଣଙ୍କ ଲୀଳା ପୂର୍ଣ୍ଣ ପ୍ରକାଶିତ ହୋଇପାରି ନଥାନ୍ତା । ୮୬ ଜଣ ନୃପତିଙ୍କୁ ବନ୍ଦୀ କରିଥିଲେ ଜରାସନ୍ଧ…ମନସ୍କାମନା ଥିଲା ଶତ ପୂର୍ଣ୍ଣ ହେଲେ ସମସ୍ତଙ୍କୁ ଏକ ସଙ୍ଗେ ହତ୍ୟା କରି ରକ୍ତ ସ୍ନାନ କରିଥାନ୍ତେ । ଶ୍ରୀକୃଷ୍ଣ ପରାମର୍ଶ ଦେଲେ, ଜରାସନ୍ଧ ବଞ୍ଚିଥିବା ପର୍ଯ୍ୟନ୍ତ କେହି ରାଜଚକ୍ରବର୍ତ୍ତୀ ହୋଇ ପାରିବେ ନାହିଁ । ସୈନ୍ୟ ବଳଦ୍ୱାରା ସାକ୍ଷାତ ସମରରେ ଜରାସନ୍ଧଙ୍କୁ ପରାସ୍ତ ଓ ନିହତ କରିବା ଅସମ୍ଭବ ଥିଲା । ତେଣୁ ପାଣ୍ଡବଗଣ ଶ୍ରୀକୃଷ୍ଣଙ୍କ ପରାମର୍ଶରେ ଜରାସନ୍ଧଙ୍କୁ କୌଶଳରେ ପରାସ୍ତ କରିବେ ସ୍ଥିର କଲେ । ଶ୍ରୀକୃଷ୍ଣଙ୍କ ନେତୃତ୍ୱରେ ଭୀମ ଓ ଅର୍ଜ୍ଜୁନ ଜରାସନ୍ଧ ବଧ ଅଭିଯାନରେ ମଗଧ ଯାତ୍ରା କଲେ । ଯୁଧିଷ୍ଠିର କୃଷ୍ଣ ପଦାରବିନ୍ଦ ସ୍ମରଣ କରି ନିଃଶଙ୍କ ଚିତ୍ତରେ ବିଦାୟ ଦେଲେ । ବକ୍‌କଳଧାରୀ ବ୍ରତୀ ଛଦ୍ମବେଶରେ ଚୈତ୍ୟଶୃଙ୍ଗ ଭେଦକରି ସମସ୍ତ ବାଧା ବିଘ୍ନ ଅତିକ୍ରମ କରି ଜରାସନ୍ଧଙ୍କ ପ୍ରାସାଦରେ ଯଜ୍ଞଶାଳାରେ ପ୍ରବେଶ କରିବାକୁ ସମର୍ଥ ହୋଇଥିଲେ । ଜରାସନ୍ଧ ଅତିଥିମାନଙ୍କୁ ଅଭ୍ୟର୍ଥନା କରିଥିଲେ, କିନ୍ତୁ ପ୍ରକୃତ ପରିଚୟ ପାଇ ଓ ଆଗମନର ଉଦ୍ଦେଶ୍ୟ ଜାଣିପାରି ବିସ୍ମିତ ହୋଇଥିଲେ । ଶ୍ରୀକୃଷ୍ଣ ଜରାସନ୍ଧଙ୍କୁ ଦ୍ୱନ୍ଦଯୁଦ୍ଧରେ ଆହ୍ୱାନ କଲେ । ପୁରକାଳର ରୀତି ଅନୁଯାୟୀ ସେପରି ଆହ୍ୱାନରେ କ୍ଷତ୍ରିୟମାତ୍ରେ ସମ୍ମତ ହେଉଥିଲେ…ନୋହିଲେ ବଶ୍ୟତା ସ୍ୱୀକାର କରିବାକୁ ପଡ଼ୁଥିଲା । ଜରାସନ୍ଧ ଏକମାତ୍ର ଭୀମସେନଙ୍କୁ ସମ୍ମସ୍କନ୍ଦ ପ୍ରତିଦ୍ୱନ୍ଦୀ ମନୋନିତ କଲେ । ଉଭୟେ ତ୍ରୟୋଦଶ ଦିବସ ମଲ୍ଲଯୁଦ୍ଧରେ ଲିପ୍ତ ରହିଲେ…ଜୟ ପରାଜୟର ମୀମାଂସା ହେଲା ନାହିଁ । ଚତୁର୍ଦ୍ଦଶ ଦିବସରେ ଭୀମ କ୍ଲାନ୍ତ ଜରାସନ୍ଧଙ୍କୁ ଭୁପାତିତ କରି, ଦୁଇ ପାଦ ଧରି ଜରାସନ୍ଧଙ୍କ ଦେହକୁ ଦୁଇ ଅଂଶରେ ବିଭକ୍ତ କଲେ। ଦୁଇଅଂଶ ପୁଣି ଏକତ୍ରିତ ହେଲା । ଜରାସନ୍ଧ ଜୀବନ ଲାଭ କରି ପୁନରାୟ ଭୀମଙ୍କ ସହ ମଲ୍ଲ ଯୁଦ୍ଧରେ ପ୍ରବୃତ୍ତି ହେ‌ଲେ । ‌ଭୀମ କିଂକର୍ତ୍ତବ୍ୟବିମୂଢ଼ ହେଲେ । ଦେଖିଲେ ବାସୁଦେବ ଗୋଟିଏ ପତ୍ରକୁ ଦୁଇ ଫାଳ କରି ଦୂରକୁ ଛାଟି ଦେଉଛନ୍ତି । ସଂକେତ ବୁଝିପାରି ଭୀମ ପୁନର୍ବାର ଆକ୍ରମଣ କରି ଜରାସନ୍ଧଙ୍କ ଶରୀରକୁ ଦୁଇଭାଗରେ ବିଭକ୍ତି କଲେ । ବିଚ୍ଛିନ୍ନ ଦୁଇ ଅଂଶ ଦୁଇଦିଗକୁ ନିକ୍ଷେପ କରିବାରୁ ସେହି ଅଂଶଗୁଡ଼ିକ ଆଉ ଏକତ୍ରିତ ହୋଇପାରିଲା ନାହିଁ । ଜରାସନ୍ଧ ପ୍ରାଣତ୍ୟାଗ କଲେ । କାରାରୁଦ୍ଧ ନୃପତିମାନଙ୍କୁ ମୁକ୍ତି କରି, ଜରାସନ୍ଧଙ୍କ ପୁତ୍ର ସହଦେବଙ୍କୁ ମଗଧର ସିଂହାସନରେ ଅଭିଷିକ୍ତ କରାଇ କୃଷ୍ଣ, ଭୀମ, ଅର୍ଜ୍ଜୁନ ଇନ୍ଦ୍ରପ୍ରସ୍ଥକୁ ଫେରି ଆସିଲେ । ପଞ୍ଚପାଣ୍ଡବ ଅପ୍ରତିଦ୍ୱନ୍ଦୀ ଦିଗ୍‌ବଜୟୀରୂପେ ରାଜସୂୟ ଯଜ୍ଞ ଆୟୋଜନ କଲେ । ସେହି ଯଜ୍ଞ ସଭାରେ ସର୍ବାଗ୍ରେ ଦ୍ୱାରକାଧିପତି ଶ୍ରୀକୃଷ୍ଣଙ୍କୁ ଅର୍ଘ୍ୟଦାନ ବେଳେ ଚେଦୀରାଜ ଶିଶୁପାଳ ଶ୍ରୀକୃଷ୍ଣ, ଭୀଷ୍ମଦେବ, ଯୁଧିଷ୍ଠିରଙ୍କୁ ନାନା କଟ୍ୟୁକ୍ତିରେ ଅପମାନିତ କରିବାକୁ ଶ୍ରୀକୃଷ୍ଣ ଅତର୍କିତ ଆକ୍ରମଣ କରି ଶିଶୁପାଳଙ୍କୁ ବଧ କଲେ । କୌରବଗଣ ଓ ସମର୍ଥନକାରୀ ନୃପତିମାନେ ଶ୍ରୀକୃଷ୍ଣ ଓ ପଞ୍ଚପାଣ୍ଡବଙ୍କ ସହ ଯୁଦ୍ଧ କରିବାକୁ ସାହସୀ ହେଲେ ନାହିଁ । ରାଜାସୂୟ ଯଜ୍ଞ ସୁମମ୍ପନ୍ନ ହେଲା । ଯୁଧିଷ୍ଠିର ରାଜଚକ୍ରବର୍ତ୍ତୀ ପଦ ଲାଭ କଲେ ।

 

ସେ ଯୁଗରେ ଭାରତବର୍ଷରେ ବହୁ ନରପତି ସ୍ୱାଧିନଭାବେ ରାଜ୍ୟ ଶାସନ କରୁଥିଲେ । ଏକ ରାଜ୍ୟ ଅନ୍ୟ ରାଜାଙ୍କ ରାଜ୍ୟରେ ପ୍ରବେଶ କରି ପାରୁ ନଥିଲେ । ପରାକ୍ରାନ୍ତ ନୃପତିମାନେ ରାଜଚକ୍ର ବର୍ତ୍ତୀ ହେବା ଆଶାରେ ଦୂତ ପ୍ରେରଣ କରି, ଅନ୍ୟ ରାଜାଙ୍କ ସମ୍ମତି ନେଇ ରାଜସୂୟ ଯଜ୍ଞର ବ୍ୟବସ୍ଥା କରୁଥିଲେ । ଅପରାପର ନୃପତିଗଣ ସେହି ଯଜ୍ଞରେ ଯୋଗଦାନ ପୂର୍ବକ ପରାକ୍ରମଶାଳୀ ନରପତିଙ୍କ ବଶ୍ୟତା ସ୍ୱୀକାର କରି ନିଜ ନିଜ ରାଜ୍ୟକୁ ଫେରି ଯାଉଥିଲେ । ଜରାସନ୍ଧ ବଧ ପରେ ପାଣ୍ଡବମାନେ ସେହି ନୀତି ଅନୁସରଣ କରି ଶିଶୁପାଳ ଓ ଅନ୍ୟାନ୍ୟ ନୃପତିମାନଙ୍କୁ ଆମତ୍ରିତ କରିଥିଲେ ।

 

ଜରାସନ୍ଧ ମଗଧରାଜ ବୃହଦ୍ରଥ ପ୍ରବଳ ପରାକ୍ରାନ୍ତ ରାଜା ଥିଲେ । ସେ କାଶୀ ରାଜାଙ୍କ ଦୁଇ ଜମଜ କନ୍ୟାଙ୍କୁ ବିବାହ କାଳେ ଶପଥ କରିଥିଲେ ଯେ ଉଭୟଙ୍କୁ ସମଦୃଷ୍ଟିରେ ଦେଖିବେ… ପକ୍ଷପାତିତ୍ୱ କରିବେ ନାହିଁ । ବିବାହର ବହୁକାଳ ପରେ ମଧ୍ୟ ରାଜା ସନ୍ତାନ ମୁଖ ଦର୍ଶନ କଲେ ନାହିଁ । ପତ୍ନୀମାନଙ୍କ ସହ ବନଗମନ କରି ତପସ୍ୟାରେ ରତ ହେଲେ । ମୁନିବର ଚଣ୍ଡ କୌଶିକଙ୍କ ନିକଟରେ ମନସ୍କାମନା ବ୍ୟକ୍ତ କଲେ । ମୁନିବର ପ୍ରୀତ ହୋଇ ରାଜାଙ୍କୁ ମନ୍ତ୍ରପୂତ ଆମ୍ରଫଳ ଦେଲେ-। ରାଜା ସେହି ଫଳ ଦୁଇ ସମାନ ଭାଗରେ ବିଭକ୍ତ କରି ଦୁଇ ରାଣୀଙ୍କୁ ଦେଇ ନିରପେକ୍ଷ ବିଚାରର ଶପଥ ରକ୍ଷା କଲେ । ଅର୍ଦ୍ଧଫଳ ଭକ୍ଷଣ କରି ରାଣୀଦ୍ୱୟ ଗର୍ଭବତୀ ହେଲେ । ଯଥା ସମୟରେ ପ୍ରତ୍ୟେକେ ଅର୍ଦ୍ଧ ଅଂଶ ବିଶିଷ୍ଟ ଶିଶୁ ଜନ୍ମ ଦାନ କଲେ । ଏକ ପଦ, ଏକ ହସ୍ତ, ଏକ କର୍ଣ୍ଣ, ଏକ ଚକ୍ଷ ଅର୍ଦ୍ଧମୁଖ ବିଶିଷ୍ଟ ଦୁଇ ଭୀଷଣାକାର ପୁତ୍ର ଲାଭ କରି ରାଣୀଦ୍ୱୟ ଅତ୍ୟନ୍ତ ଦୁଃଖିତ ହେଲେ । ମନସ୍ତାପରେ ଶିଶୁ ଦୁଇଟିକୁ ଆବର୍ଜନା ସ୍ତୂପରେ ନିକ୍ଷେପ କଲେ । ଜଣେ ରାକ୍ଷସୀ ଦୁଇଟି ମାଂସପିଣ୍ଡ ଏକତ୍ରିତ କରି ଭକ୍ଷଣ କରିବାକୁ ଉଦ୍ୟତ ହେବାରୁ ସେହି ପିଣ୍ଡ ଦୁଇଟି ଏକତ୍ରିତ ହୋଇ ଜୀବନ୍ତ ଶିଶୁର ଆକାର ଧାରଣ କଲା । ରାକ୍ଷସୀର ମାତୃଭାବ ଜାଗୃତ ହେବାରୁ ସେ ସୁନ୍ଦରୀ ନାରୀରୂପ ଧାରଣ କରି ବୃହଦ୍ରଥଙ୍କୁ ସେହି ଶିଶୁ ସମର୍ପଣ କଲା । ରାଜା ଶିଶୁପୁତ୍ର ଫେରିପାଇ ଆନନ୍ଦରେ ଅଧୀର ହେଲେ । ଏହି ଶିଶୁ ଜରାସନ୍ଧ । ଋଷି କୃପାରୁ ଜରାସନ୍ଧ ଅସୀମ ଶୌର୍ଯ୍ୟ ବୀର୍ଯ୍ୟର ଅଧିକାରୀ ହୋଇଥିଲେ ଏବଂ କାଳକ୍ରମେ ଅଜେୟ ବୀର ରୂପେ ଖ୍ୟାତି ଲାଭ କଲେ । ତାହାଙ୍କ ଶରୀର ଦୁଇଟି ଅଂଶ ଦ୍ୱାରା ଗଠିତ ଥିବାରୁ ସେହି ଦୁଇ ଅଂଶ ବିଚ୍ଛିନ୍ନ କରିବା ସହଜସାଧ୍ୟ ଥିଲା । ଜରାସନ୍ଧ କୃଷ୍ଣ ଓ କୃଷ୍ଣଶ୍ରିତ ପଞ୍ଚପାଣ୍ଡବଙ୍କୁ ଶତ୍ରୁ ମନେ କରୁଥିଲେ । କଂସ ନିହତ ହେବା ପରେ ସେ କଠୋର ସଂଗ୍ରାମ କରି କୃଷ୍ଣ ବଳରାମଙ୍କୁ ପରାସ୍ତ କରିଥିଲେ । ଅନ୍ୟାନ୍ୟ ନୃପତିମାନଙ୍କୁ ମଧ୍ୟ ପରାସ୍ତ କରି ଅନ୍ୟାୟଭାବେ ବନ୍ଦୀ କରି ରଖିଥିଲେ । ଶ୍ରୀକୃଷ୍ଣ ଅଲୌକିକ ବିଚକ୍ଷଣତା, ଭୀମସେନଙ୍କ ବାହୁବଳ ଓ ଧୈର୍ଯ୍ୟ ଯୋଗୁଁ ଜରାସନ୍ଧ ନିହତ ହେଲେ । କୃଷ୍ଣ ପୂର୍ବ ପରାଜୟର ପ୍ରତିଶୋଧ ନେଲେ । ଜରାସନ୍ଧ କନ୍ୟା ହେତି କଂସଙ୍କ ପତ୍ନୀ ଥିଲେ । ମାତୁଳ କନ୍ୟା ବିବାହ ମହାଭାରତୀୟ ଯୁଗରେ ଅସିଦ୍ଧ ନ ଥିଲା । ଦୁଷ୍ଟ ଲୋକକୁ ଛଳେ ବଳେ କୌଶଳେ ନିହତ କରିବାର ନୀତି ସେ ଯୁଗ ଓ ଏ ଯୁଗରେ ପ୍ରଜୁଯ୍ୟ ।

 

ଶିଶୁପାଳ: - ଚେଦୀରାଜ ଶିଶୁପାଳ ଦମଘୋଷଙ୍କ ପୁନ୍ତ୍ର । ଦମଘୋଷ ଦେବକୀଙ୍କ ଭଗ୍ନୀ ଦଇବକୀଙ୍କୁ ବିବାହ କରିଥିଲେ । ଶିଶୁପାଳ ସମ୍ପର୍କରେ ଶ୍ରୀକୃଷ୍ଣଙ୍କ ମାଉସୀ ପୁଅ ସାନ ଭାଇ କୃଷ୍ଣଙ୍କ କୋଳରେ ଶିଶୁପାଳଙ୍କ ଚତୁର୍ଭୁଜ ଥୋଇବାରୁ ଦୁଇ ଭୁଜ ଖସିଯାଇଥିଲା । ଶିଶୁପାଳ ନୃପତି ଥିଲେ ମଧ୍ୟ ଶୌର୍ଯ୍ୟ ବୀର୍ଯ୍ୟରେ ଖ୍ୟାତି ଅର୍ଜନ କରି ପାରି ନ ଥିଲେ । ଖଳ ବୁଦ୍ଧି, ପରଶ୍ରୀକାତରତା, ଅହେତୁକ ଆତ୍ମାଭିମାନ, ନାନା କୁକୀର୍ତ୍ତି ଯୋଗୁ ସେ ନିନ୍ଦନ ହୋଇଥିଲେ ।ଋକ୍ମିଣୀଙ୍କ ସହିତ ତାହାଙ୍କର ବିବାହ ସ୍ଥିର ହୋଇଥିଲା । କିନ୍ତୁ ଋକ୍ମିଣୀ ମନେ ମନେ ଶ୍ରୀକୃଷ୍ଣଙ୍କୁ ପତି ରୂପେ ବରଣ କରିଥିଲେ । ଋକ୍ମିଣୀ ହରଣ ଯୋଗୁଁ ଶିଶୁପାଳ ବିବାହ ବେଦିରୁ ଫେରି ଆସି ହୋଇଗଲେ, ଘୋର କୃଷ୍ଣ ବି‌‌‌ଦ୍ୱେଷୀ ଜରାସନ୍ଧ କୌରବମାନଙ୍କ ସହାୟତାରେ ପାଣ୍ଡବମାନଙ୍କ କ୍ଷତି ସାଧନ କରିବାକୁ ସଚେଷ୍ଟ ଥିଲେ । ରାଜସୂୟ ଯଜ୍ଞ ସ୍ଥଳେ କୃଷ୍ଣ ଭୀଷ୍ମ, ଯୁଧିଷ୍ଠିରଙ୍କ ଅକଥ୍ୟ ଭାଷାରେ ଅପମାନିତ କରିବାକୁ କୁଣ୍ଠିତ ନଥିଲେ । ଋକ୍ମିଣୀ ସ୍ୱୟମ୍ୱର ସଭାରେ ଅପମାନିତ ହୋଇଥିଲା । ତେଣୁ ସାରା ଭାରତର ନୃପତିମାନଙ୍କ ସମକ୍ଷରେ ପିତୃସମ କୃଷ୍ଣଙ୍କୁ ଅପମାନିତ କରି ଅପାର ଆନନ୍ଦ ଲାଭ କଲେ ବାସୁଦେବ ଶତ ଦୋଷ କ୍ଷମା କରିଥିଲେ ଏଥର ସ୍ୱମୂର୍ତ୍ତି ଧାରଣ କଲେ । ଶିଶୁପାଳ ଭାବିନଥିଲେ କୃଷ୍ଣ ସୁଦର୍ଶନ ଚକ୍ର ଦ୍ୱାରା ଅତର୍କିତ ଆକ୍ରମଣ କରିବେ । ସୁଦର୍ଶନ ଚକ୍ର ସମ୍ଭବତଃ ଗୋଟିଏ ସ୍ୱୟଂକ୍ରୟା (ଅଟୋମେଟିକ୍‌) ଅସ୍ତ୍ର ଯାହା ଏକମାତ୍ର ଶ୍ରୀକୃଷ୍ଣଙ୍କ ନିକଟରେ ଥିଲା ଏବଂ ସେ ଏହି ଅସ୍ତ୍ରର ପ୍ରୟୋଗ କୌଶଳ ଜାଣିଥିଲେ । ଅପର ନରପତିମାନେ ସେହିଯୋଗୁ କୃଷ୍ଣଙ୍କୁ ଭୟ କରୁଥିଲେ । ସେହି ସ୍ୱୟଂକ୍ରିୟ ଅସ୍ତ୍ର ସମ୍ମୁଖ ସମରେ ବିଶେଷ କାର୍ଯ୍ୟକାରୀ ଥିଲା । ଶିଶୁପାଳ ହଠାତ୍‌ ନିହତ ହେବାରୁ ତାଙ୍କର ସମର୍ଥନକାରୀ ରାଜାମାନେ ମନୋବଳ ହରାଇଲେ, ଯଜ୍ଞ ସ୍ଥଳେ ଯୁଦ୍ଧରେ ଲିପ୍ତ ହେବାକୁ ସାହାସୀ ହେଲେ ନାହିଁ । ଶ୍ରୀକୃଷ୍ଣଙ୍କ ଯୋଗୁଁ ରାଜସୂୟ ଯଜ୍ଞ ସୁସମ୍ପନ୍ନ ହୋଇ ପାରିଥିଲା ।

 

୧ମ ପର୍ବର ଶେଷ ଲାଇନ- ଶ୍ରୀକୃଷ୍ଣ ଉଦ୍ଦେଶ୍ୟରେ ଯୁଧିଷ୍ଠିରଙ୍କ ଉକ୍ତ- ଭୀମ ଓ ଅଜ୍ଜୁନ ମୋର ଦୁଇ ଆଖି …ଅପଣ ସ୍ୱୟଂ ମୋର ଆତ୍ମା । ନିଜର ସାମାନ୍ୟ ସ୍ୱାର୍ଥ ଲାଗି କାହାକୁ ଅବା ଛାଡ଼ିପାରେ ।

 

୩ୟ ପର୍ବରେ – ଜରାସନ୍ଧଙ୍କ ପ୍ରାସାଦକୁ କେତେକ ଯନ୍ତ୍ର – ମାନବ (Robot) ଜଗି ଥିଲେ । ସେ ଯୁଗର ଶିଳ୍ପୀଙ୍କ ପକ୍ଷରେ, ଏହିପରି ଯନ୍ତ୍ର ଉଦ୍‌ଭାବନ ଅସମ୍ଭବ ନଥିଲା । ଯନ୍ତ୍ର ମାନବ ବର୍ତ୍ତମାନ ପାଶ୍ଚାତ୍ୟ ଦେଶମାନଙ୍କରେ ଅଛି । ବୈଦ୍ୟୁତିକ ଶକ୍ତିରେ ପରିଚାଳିତ ଏହି ଯନ୍ତ୍ର-ମାନବ ଠିକ ମଣିଷ ପରି କଥାବାର୍ତ୍ତା, ଅଙ୍ଗ ସଞ୍ଚାଳନ କରି ପାରେ । କବି ମଞ୍ଜୁଳ ବିଜ୍ଞାନର ସୃଷ୍ଟିକୁ କାବ୍ୟରେ ସ୍ଥାନ ଦେଇଛନ୍ତି । କାଳକ୍ରମେ ଅଦଭୂତ ଇନ୍ଦ୍ରଜାଲ ବିଦ୍ୟା, ମାୟାବୀ କର୍ମକାଣ୍ଡ ଭାରତରୁ ଲୋପ ପାଇଛି, କିନ୍ତୁ ରାମାୟଣ ମହାଭାରତର ଯୁଗରେ ଅର୍ଥାତ ଚାରି ପାଞ୍ଚ ହଜାର ବର୍ଷ ପୂର୍ବେ ଏହାର ପୂର୍ଣ୍ଣ ପ୍ରକାଶ ହୋଇଥିଲା । ଆଧୁନିକ ବୈଜ୍ଞାନିକମାନେ ଚନ୍ଦ୍ରଲୋକ ଜୟ କରିଛନ୍ତି ତେଣୁ ଲୁପ୍ତ ବିଦ୍ୟାର ପୁନରୁଦ୍ଧାର ମଧ୍ୟ ସମ୍ଭବ ।

 

୮ମ ପର୍ବ -୩ୟ ପାଦ – ଦାନ, ଦକ୍ଷତା, ଶ୍ରୁତ, ଶୌଚ, ଲଜ୍ଜା, କୀର୍ତ୍ତି, ବୁଦ୍ଧି,ବିନୟ, ଅନୁପମଶ୍ରୀ, ଧୈର୍ଯ୍ୟ, ସନ୍ତୋଷ ଏହି ଏକାଦଶ ଗୁଣର ଏକତ୍ର ସମାବେଶ ଦେଖିବାରୁ ଭୀଷ୍ମଦେବ ଶ୍ରୀକୃଷ୍ଣଙ୍କୁ ଆଦ୍ୟ ଅର୍ଘ୍ୟର ଯୋଗ୍ୟତମ ପାତ୍ର ବୋଲି ମନୋନୀତ କରିଥିଲେ ।

 

ସୌବୀର – ପ୍ରାଚୀନ ଦେଶ ବିଶେଷ, ବୃଷ୍ଣିବଂଶ-ଯଦୁବଂଶ, ଋତ୍ୱିକ- ଯଜ୍ଞର ପୁରୋହିତ, ଉପାୟନ-ଭେଟି ବିରଞ୍ଚି – ସୂର୍ଯ୍ୟ, ସ୍ନାତକ – ବ୍ରହ୍ମଚର୍ଯ୍ୟାଦି ସମାପନାନ୍ତେ ଗୃହସ୍ଥାଶ୍ରମରେ ପ୍ରବିଷ୍ଟ ଛାତ୍ର ଅଥବା ଦ୍ୱିଜ । ବିଶ୍ୱବିଦ୍ୟାଳୟର ଗ୍ରାଜୁୟେଟ୍‌ମାନଙ୍କୁ ମଧ୍ୟ ସ୍ନାତକ ବୋଲାଯାଏ । ମୂର୍ଦ୍ଧା – ମସ୍ତକ, କୃଶାନ୍ତୁ –ଅଗ୍ନି ତ୍ରିବିକ୍ରମ – ତ୍ରିପାଦ ଦ୍ୱର ତ୍ରିଲୋକ ଆକ୍ରମଣକାରୀ ବାମନରୂପୀ ବିଷ୍ଣୁ । ଅମେଧ୍ୟ –ଅପବିତ୍ର, ଅଯଜ୍ଞୀୟ ଆଭାରୀ – ଗୋପୀ, ଗଉଡ଼ୁଣୀ କୁନ୍ତୀ ଭୋଜ-କୁନ୍ତୀଙ୍କର ପାଳନ ପିତା କୁନ୍ତୀଙ୍କ ଅପର ନାମ ପୃଥା । ସେ ଶୂରଙ୍କ ସନ୍ତାନ…କୁନ୍ତୀ ଭୋଜଙ୍କ ଦ୍ୱାରା ଲାଳିତ ପାଳିତ ହୋଇଥିଲେ ତେଣୁ କୁନ୍ତୀ ନାମେ ପରିଚିତ ହେଲେ । ଅମ୍ୱା – କାଶୀରାଜଙ୍କ କନ୍ୟା । ଶାଲ୍ୱଙ୍କୁ ପତିରୂପେ ବରଣ କରିବାକୁ ଚାହୁଁ ଥିଲେ । କିନ୍ତୁ ଭୀଷ୍ମ ତାଙ୍କୁ ସ୍ୱୟମ୍ୱର ସଭାରୁ ଅପହରଣ କରିଥିଲେ । ଅଭିଳାଷ ପୂର୍ଣ୍ଣ ହେଲା ନାହିଁ ଅମ୍ବା ଆତ୍ମହତ୍ୟା କରି ପର ଜନ୍ମରେ ଦ୍ରୁପଦଙ୍କ ପୁତ୍ର ଶିଖଣ୍ଡି ରୂପେ ଭୀଷ୍ମ ହତ୍ୟା କରି ପ୍ରତିଶୋଧ ନେଲେ । ଗ୍ରନ୍ଥକାରଙ୍କ ‘ଦେବବ୍ରତ’ କାବ୍ୟ ଦେଖନ୍ତୁ । ଉଗ୍ରସେନ – କଂସଙ୍କ ପିତା । ପାଞ୍ଚାଳୀ – ଦ୍ରୌପଦୀ ।

 

---ସମାପ୍ତ---